ସାଉଦି ଆରବରେ ଓଡ଼ିଆ କଳା ସଂସ୍କୃତିର ଅନନ୍ୟ ଝଲକ୍

ସାଉଦି ଆରବର ରିଆଦରେ ଦେଖବାକୁ ମିଳିଛି ଓଡ଼ିଶା ଓ ଓଡ଼ିଆ କଳା ସଂସ୍କୃତିର ଝଲକ । ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନଦ୍ବାରା ଆୟୋଜିତ ଭବ୍ୟ ସମାରୋହରେ ବିଭିନ୍ନ ବୟସ ଓ ବର୍ଗର କଳାକାର ଓ ସୃଜନଶୀଳ ବ୍ୟକ୍ତି ବିଶେଷ ଉଚ୍ଚକୋଟିର ବକ୍ତବ୍ୟ, ସୃଜନୀ ଓ ରାଫେଲ୍ ଡ୍ର ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପ୍ରତିଯୋଗିତା ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ । ତାହା ହେଉଛି ଓଡ଼ିଆ ଐତିହ୍ୟ କଳା ସଂସ୍କୃତିର ପ୍ରଚାର ପ୍ରସାର, ସମାଜସେବା ଓ ସଚେତନତା ସୃଷ୍ଟି ।
ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ (ଆରଓଏସ୍ଏ ତଥା ରୋଜା)ର ଅପ୍ରତିଦ୍ବନ୍ଦ୍ବୀ ପ୍ରୟାସ । ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଅକ୍ଟୋବର 14 ତାରିଖରେ ଆୟୋଜିତ ହୋଇଯାଇଛି ଭବ୍ୟ ଉତ୍ସବ । ଯେଉଁଠି, ଭାରତ ମାନଚିତ୍ରରେ ଅନନ୍ୟ ପରିଚୟ ବହନ କରୁଥିବା ଉତ୍କଳୀୟ କଳା, ସଂସ୍କୃତି, ରୁଚି, ପରମ୍ପରା ଓ ମହନୀୟତାର ପ୍ରୋତ୍ସାହନ ପାଇଁ କରାଯାଇଛି ଭିନ୍ନ ଏକ ଉଦ୍ୟମ ।
ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଦେବ ମହାନ୍ତି ଯୋଗ ଦେଇଥିଲେ । ଓଡ଼ିଆ ବଂଶୋଦ୍ଭବ ଡକ୍ଟର ଦେବ, ଏକାଧାରାରେ ଜଣେ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ, ସମାଜସେବୀ, ବଦାନ୍ୟ ବ୍ୟକ୍ତିତ୍ବ ଏବଂ ଆସମାକ୍ସ (ASMACS) ଗ୍ରୁପ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ।
କାର୍ଯ୍ୟକ୍ରମରେ ରୋଜାର ସଭାପତି ସରୋଜ ପାଣିଗ୍ରାହୀ ଆମନ୍ତ୍ରିତ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସ୍ବାଗତ ଜଣାଇବା ସହ ପ୍ରବାସୀ ଭାରତୀୟ, ଓଡ଼ିଆ ସମାଜ ଏବଂ ସଂସ୍କୃତି ସନ୍ଦର୍ଭରେ ସମ୍ୟକ୍ ସମ୍ଭାଷଣ ଦେଇଥିଲେ । ଓଡ଼ିଶା ମାଟିରୁ ସୁଦୂର ରିଆଦରେ ରହି ଜଣେ ଗର୍ବିତ ପ୍ରବାସୀ ଓଡ଼ିଆ ଭାବେ ମା ମାଟିର ମହକ ଓ କୁହୁକକୁ ସଗର୍ବେ ବଖାଣିଥିଲେ ସେ । ଏହାସହ କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ ଓଡ଼ିଆ ସମାଜର ସାହାଯ୍ୟ ସହଯୋଗ, ଉଦୀୟମାନ କଳାକାରଙ୍କ ପ୍ରୋତ୍ସାହନ ଏବଂ ବିଦେଶରେ ଓଡ଼ିଶାର ସଦିଚ୍ଛା ପ୍ରଦିପାଦନ କରିଥିବା ରୋଜାର ସମସ୍ତ ସଦସ୍ୟବୃନ୍ଦଙ୍କୁ ସାଧୁବାଦ ଜଣାଇଥିଲେ ।
ଏହା ସହ ଓଡ଼ିଶା ଓ ଓଡ଼ିଆଙ୍କ ବିରଳ ଉପଲବ୍ଧିକୁ ଉଲ୍ଲେଖ କରିବା ସହ କୁନି କୁନି କୃତୀ କଳାକାରଙ୍କ ନୃତ୍ୟ ସଙ୍ଗୀତକୁ ଉଚ୍ଚପ୍ରଶଂସା କରିଥିଲେ ସଭାପତି ସରୋଜ ପାଣିଗ୍ରାହୀ । କାର୍ଯ୍ୟକ୍ରମରେ ପରାମର୍ଶଦାତା ଡକ୍ଟର ଫଜଲ୍ ଯୋଗ ଦେଇ ରୋଜା ସଂଗଠନର ଲକ୍ଷ୍ୟ, ଆଭିମୁଖ୍ୟ ସାଙ୍ଗକୁ ଓଡ଼ିଶାର ସଂସ୍କୃତି, ବାଣିଜ୍ୟ, ପରମ୍ପରା ସମ୍ପର୍କରେ ଏକ ସଂକ୍ଷୀପ୍ତ ବିବରଣୀ ପ୍ରଦାନ କରିଥିଲେ । ଯାହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସାରା ବିଶ୍ବକୁ ଓଡ଼ିଶାର ଏକ ମାନସ-ଚିତ୍ର ପ୍ରଦର୍ଶନ କରାଇବା ।
ଆସମାକ୍ସ ଗ୍ରୁପ୍, ସିକ୍ୟୋର୍ ଆଇଜ୍, ରେଡ୍ ଚିଲି, ମାଲାବାର୍ ଗୋଲ୍ଡ୍ ଆଣ୍ଡ ଡାଇମଣ୍ଡସ୍, କୃଷ୍ଟି ରିସର୍ଟ, ପାରାମାଉଣ୍ଟ କମ୍ପ୍ୟୁଟର ସିଷ୍ଟମ୍ସ FZ-LLC, ଶେରୋ ପ୍ରପର୍ଟିଜ୍, ଅଲ୍ ଜଜିରା ସାର୍କେଟ୍ କମ୍ପାନି ଆଣ୍ଡ ଏସ୍କୋୟାର୍ ଇନଫୋଲାବ୍ ସିଷ୍ଟମ୍ସ ପ୍ରା. ଲିମିଟେଡ୍ ଦ୍ବାରା ପ୍ରାୟୋଜିତ ହୋଇଯାଇଛି ରୋଜାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।
ଶ୍ରୀମତୀ ମେହବିସଙ୍କ ତତ୍ତ୍ବାବଧାନରେ ଆଫାନ୍, ଅରମାନ୍, ସାୟାନ୍ ଓ ଅରିବାହ ପ୍ରମୁଖ କାର୍ଯ୍ୟକ୍ରମର ଆଙ୍କରିଂ କରିଥିଲେ । ସମାରୋହକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଡକ୍ଟର ଫଜଲ୍, ଶ୍ରୀ ସମଶେର, ଶ୍ରୀ ଅନୱର ଓ ଶ୍ରୀ ଦେବାଶିଷ ମିଳିତଭାବେ ଏକ ସ୍ବତନ୍ତ୍ର ସ୍ମରଣିକା ସଂସ୍କରଣ ଉନ୍ମୋଚନ କରିଥିଲେ । ତେବେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ନୃତ୍ୟ-ସଙ୍ଗୀତଭରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ରୋଜା ସଭାପତି ସରୋଜ ପାଣିଗ୍ରାହୀ, ସାଂସ୍କୃତିକ ସମ୍ପାଦକ ସୀମାଞ୍ଚଳ, ମାନସ, ସୁକାନ୍ତ, ଉପସଭାପତି ଅଜିମୁଦ୍ଦିନ୍, ପି. କେ. ଦାସ ଓ ତୀର୍ଥ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ସଂଗଠନର ସାଂସ୍କୃତିକ ଦଳ ମନୋରଞ୍ଜନର ଏହି ଅବସରକୁ ରୁଦ୍ଧିମନ୍ତ କରିଥିଲେ । ଚମତ୍କାର ନୃତ୍ୟ କଳାର ନିର୍ଦ୍ଦେଶନା କରିଥିଲେ ଶ୍ରୀମତୀ ମେହଭିସ୍ ଜିଲାନି, ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ନାୟକ, ଡକ୍ଟର ଚନ୍ଦନା ପଟ୍ଟନାଏକ, ଶ୍ରୀମତୀ ଦୀପିକା ପାତ୍ର ଓ ଶ୍ରୀମତୀ ଦୀପା ପାଣିଗ୍ରାହୀ । ଯାହାର ମିଳିତ ଉପସ୍ଥାପନା କରିଥିଲେ ବିବେକ, ଶ୍ରେୟାନ୍, ଅଫନ୍, ଅରିବାହ, ସିମ୍ରନ୍, ଶ୍ରୀମତୀ ରିମା, ଅରମାନ୍ ଏବଂ ଅବୁ ସଲମା । କାର୍ଯ୍ୟକ୍ରମ ପରିଶେଷରେ କରାଯାଇଥିବା ରାଫେଲ୍ ଡ୍ରଇଂ ପ୍ରତିଯୋଗିତାର ଉଦଘୋଷକ ଥିଲେ ବିବେକ, ଅଜିମ୍ ଓ ଅବୁ ସଲମା ।
“We Dream, We Believe, We Care and We Achieve” ବାର୍ତ୍ତାକୁ ପାଥେୟ କରି ରିଆଦ୍ ର ପ୍ରବାସୀ ଓଡ଼ିଆ ସଂଗଠନ- ରୋଜା, ବିଦେଶରେ ଥିବା ଓଡ଼ିଆଙ୍କୁ ଜନ୍ମମାଟି ଓ ଓଡ଼ିଆଙ୍କ ସଫଳତା ତଥା ବିଜୟଗାଥା ସମ୍ପର୍କିତ ସ୍ମରଣିକା ପ୍ରକାଶନ କରିବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆଗେଇ ଚାଲିଛି ।
ବ୍ୟୁରୋ ରିପୋର୍ଟ