ଧାମନଗର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଉପ-ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଦିନକୁ ଦିନ ରୋଚକ ହେବାରେ ଲାଗିଛି ଧାମନଗର ଉପନିର୍ବାଚନ । ଏହାରି ଭିତରେ ଧାମନଗରରେ ଲୋକଙ୍କ ନିକଟତର ହୋଇ ଭୋଟ ହାତେଇବା ଲାଗି ତିନି ପ୍ରମୁଖ ଦଳ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବାବେଳେ, ବିଜେପି ପକ୍ଷରୁ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଅପରପକ୍ଷେ କଂଗ୍ରେସ ମଧ୍ୟ ତାର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।
ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୈଦାନଙ୍କୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୮ ମନ୍ତ୍ରୀ । ଏହାବାଦ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪ ସାଂସଦ, ୪ ଅଭିନେତା ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ । ତେବେ ପ୍ରଚାର ତାଲିକାରୁ ବାଦ୍ ପଡିଛନ୍ତି ସଂଜୟ ଦାସ ବର୍ମା ।
ବିଜେଡି ପକ୍ଷରୁ ଜାରି ଷ୍ଟାର ପ୍ରଚାରକ ତାଲିକାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱନୀ ପାତ୍ର ଓ ରାଜେନ୍ଦ୍ର ଢ଼ୋଲକିଆ ସାମିଲ ଥିବାବେଳେ ବିଜେଡିର ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ମୁଖ୍ୟ ଦେବୀରଞ୍ଜନ ତ୍ରିପାଠୀ, ବ୍ୟୋମକେଶ ରାୟ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ରହିଛି । ସେହିପରି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ ୪୦ଜଣଙ୍କୁ ସାମିଲ କରାଯାଇଛି ।

ସେହିପରି ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁ । ଏମାନଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ସୁନୀଲ ବଂଶଲ, ବିଜୟପାଲ ସିଂ ତୋମର, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମ୍ବିତ ପାତ୍ର, ମନମୋହନ ସାମଲଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ଦଳର ବିଧାୟକ ମୋହନ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଅନ୍ୟମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ଅପରପକ୍ଷେ କଂଗ୍ରେସ ଏଥିରୁ ବାଦ୍ ପଡିନି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଭାରୀ ଏ.ଚେଲ୍ଲା କୁମାର । ତେବେ ପ୍ରଚାର ତାଲିକାରେ ୮ ଜଣ ବିଧାୟକ ଓ ଜଣେ ସାସଂଦ ସାମିଲ ଥିବାବେଳେ ଏଥିରୁ ବାଦ୍ ପଡିଛନ୍ତି ମହମ୍ମଦ ମୋକିମ୍ । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଦାସ, ଚିରଞ୍ଜୀବ ବିଶ୍ୱାଳ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ ପ୍ରମୁଖ ସାମିଲ ଅଛନ୍ତି ।
