ବେଗୁନିଆପଡାରେ ବିଜେଡି ଭିତରେ ଜଳୁଛି ନିଆଁ । ଦଳର ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ସଭାପତି ଅନୁପସ୍ଥିତ

ବେଗୁନିଆପଡା ବ୍ଲକରେ ବିଜେଡିର ଜନସମ୍ପର୍କ ଯାତ୍ରା ଆରମ୍ଭ । ମାତ୍ର ଏହି ଜନସମ୍ପର୍କ ଯାତ୍ରାରେ ସଭାପତିଙ୍କ ଅନୁପସ୍ଥିତିକୁ ନେଇ ରାଜନୀତି ସରଗରମ ହୋଇଛି । ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଜନ ସମ୍ପର୍କ ଯାତ୍ରା ପାଇଁ ବିଜୁ ଜନତା ଦଳର ନିଷ୍ପତ୍ତି କ୍ରମେ ଗୁରୁବାର ଦିନ ବେଗୁନିଆପଡା ବ୍ଲକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ବେଗୁନିଆପଡାର ଶ୍ରୀ ଶ୍ରୀ ସିଦ୍ଧେଶ୍ୱରଙ୍କ ମନ୍ଦିର ନିକଟରୁ ଏହି ଯାତ୍ରା ବାହାରି ଖଣ୍ଡିଆନଈ ପଂଚାୟତ ଦେଇ ବେଗୁନିଆପଡା, ମର୍ଦକୋଟ, ଚିଙ୍ଗୁଡ଼ିଖୋଲ, ଚନ୍ଦନପୁର, ବଡଖଇରଖମା, ତାଳସର, କୁମ୍ଭାରଗାଁ, ଅଙ୍ଗାରଗାଁ, ଷଣ୍ଢମୂଳ, ସାଙ୍କୁଡ଼ା, ସୁମଣ୍ଡଳ, ବୁରୁଝରୀ, ଏସ. ଛଚିନା, କେ. ବରିଡା ପଂଚାୟତ ବୁଲି ବିଜୁ ଜନତା ଦଳର ଜନ ହିତକର ଯୋଜନା ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି ଜନ ପ୍ରତିନିଧି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଜନସମ୍ପର୍କ ଯାତ୍ରାରେ ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରାଙ୍କ ଅନୁପସ୍ଥିତି ଜନସାଦାରଣରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଦୀର୍ଘ କୋଡିଏ ବର୍ଷ ହେଲା ଏହି ପଦଯାତ୍ରାରେ ସକ୍ରିୟ ଭୂମିକା ନେଇଆସୁଥିବା ଶ୍ରୀ ଦୋରା ହଠାତ୍ ପଦଯାତ୍ରାରେ ଅନୁପସ୍ଥିତ ହେବା ଘଟଣାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପ୍ରକାଶ ଥାଉ କି ଅକ୍ଟୋବର ତିନି ତାରିଖରେ କୋଦଳା ଏନ୍ଏସି ପଦଯାତ୍ରାରେ ମଧ୍ୟ ନଗର ସଭାପତି ସଂଜୀବ କୁମାର ସାହୁଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା । ଆଉ ଏବେ ସମଘଟଣା ଦଳ ମଧ୍ୟରେ ଥିବା ଅସନ୍ତୋଷକୁ ଦର୍ଶାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ତେବେ ଏହି କୋହଳା ନିଆଁ ଆଗାମୀ ଦିନରେ ଦଳକୁ କ୍ଷତି କରିବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ପଦଯାତ୍ରାରେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ସରପଞ୍ଚ ଶିବ ଶଙ୍କର ବାରିକ, ପଙ୍କଜ ସେଠି, ଦଣ୍ଡୁ ପ୍ରଧାନଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗ ଦେଇଥିଲେ ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ