ଅବକାରୀ ଇତିହାସରେ ପ୍ରଥମ, 60 କୁଇଣ୍ଟାଲ ଭାଙ୍ଗ ଜବତ

କଟକ ଜିଲ୍ଲା ଟାଙ୍ଗୀ ଡ୍ରିମସ କଲେଜ ଛକ ନିକଟରେ ଜିଲ୍ଲା ଅବକାରୀ ସ୍କ୍ୱାଡ଼ର ଚଢ଼ାଉ । ଚଢାଉରେ ଏକ ବଡ଼ କଣ୍ଟେନରରୁ ଜବତ ହେଲା 60 କୁଇଣ୍ଟାଲ ଭାଙ୍ଗ । କଟକ ଜିଲ୍ଲା ଅବକାରୀ କମିଶନର ଆଶିଷ ସିଂହ ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ନିର୍ଦେଶ ଓ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ପରିଚାଳନାରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ 60ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏହି ଘଟଣାରେ ଅଶୋକ ପାଶ୍ବାନ ଓ ଯୋଗେନ୍ଦ୍ର ପାଶ୍ବାନ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ବ୍ୟକ୍ତି ବିହାରର କୁଖ୍ୟାତ ଭାଙ୍ଗ ମାଫିଆ ବୋଲି ସୂଚନା ମିଳିଛି । ଏହି ଭାଙ୍ଗ ବିହାରରୁ ଭୁବନେଶ୍ୱର ଚାଲାଣ ହେଉଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ଟାଙ୍ଗୀ ନିକଟରେ ପୂର୍ବରୁ ଛକି ରହିଥିଲେ । ତେବେ ବଡ କଣ୍ଟେନରକୁ ଦେଖି ସନ୍ଦେହ ହେବାରୁ ଏହାକୁ ଅଟକାଇ ଯାଞ୍ଚ କରି ସେଥିରୁ ବିପୁଳ ପରିମାଣ ଭାଙ୍ଗ ଜବତ କରିଛନ୍ତି । ତେବେ ଏତେ ମାତ୍ରାରେ ଭାଙ୍ଗ ଜବତ କରିବା ଘଟଣା ଅବକାରୀ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।
ସାଲେପୁରରୁ ଅଭୟ ଜେନା