ଗଣକବି ବୈଷ୍ଣବ ପାଣି ସ୍ମୃତି ରକ୍ଷାପାଇଁ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ୬୮ ବର୍ଷର ଦାବି

ସେ ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟ l ଗଣ ହୃଦୟର କବି l ପ୍ରଥିତଯଶା ସାରସ୍ୱତ ସାଧକ l ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି l ସେ ପୁଣି ନାଟୁଆ, ଭାଟୁଆ, ଦରିଦ୍ର ଯାତ୍ରାବାଲା l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ, ଆଜିବି ତାଙ୍କ ନାଟକକୁ ନେଇ ରହିଛି ସେହି ଉତ୍ସାହ ଏବଂ ଉନ୍ମାଦନା । ତେବେ ବିଗତ ୨ ବର୍ଷ ହେଵ କରୋନା କଟକଣା କାରଣରୁ ନାଟକ ବନ୍ଦ ରହିଥିଲା । ତେବେ ଚଳିତ ବର୍ଷା ତାଙ୍କ ଶ୍ରଦ୍ଧାଞ୍ଜଳିରେ ନାଟକ ପରିବେଷଣ ହେଉଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବି ମନେ ପଡୁଛି ତାଙ୍କ ଗୀତିନାଟ୍ୟର ଚମତ୍କାରୀତା l
କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟକଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି l ମାତ୍ର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ଗଣକବିଙ୍କ ସ୍କୁଲ ଶିକ୍ଷା । ଦାରିଦ୍ର୍ୟତା ସାଜିଥିଲା ପ୍ରତିବନ୍ଧକ । ସେହି ସମୟରେ ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ତାଙ୍କୁ ମିଳିଗଲା ନିଯୁକ୍ତି । ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ । କୋଠପଦା ମାଇନର ସ୍କୁଲରେ ରୋଷେୟା ଦାୟିତ୍ୱ ମଧ୍ୟ ମିଳିଗଲା ବୈଷ୍ଣବଙ୍କୁ l ଏସବୁ ଭିତରେ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ କୋଠପଦାରେ ଗୋଟିପୁଅ ନୃତ୍ୟ କରିବାର ସୁଯୋଗ ପାଇଲେ କିଶୋର ବୈଷ୍ଣବ l ଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳ ସ୍ରଷ୍ଟା l
1903 ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ l କେତେବେଳେ ଅଭିନେତା, ତ କେତେବେଳେ ନିର୍ଦ୍ଦେଶକ । କେବେ ସେ ଗାୟକ ତ ଆଉ କେବେ ବାୟକ l କୋଠପଦା ରଘୁନାଥ ଜୀୟୁ ମଠରୁ ବୈଷ୍ଣବ ପାଣିଙ୍କ ସୃଜନ ଜୀବନର ଆଦ୍ୟ ଓଁକାର ଦିଗ ଦିଗନ୍ତକୁ ଛୁଇଁ ପାରିଥିଲା l
ଇଏ ରଙ୍ଗ ମଞ୍ଚ ନୁହେଁ l ଚାଷୀର କ୍ଷେତ l ଲହୁ ଲୁହକୁ ଏକାକାର କରି ଜମିରୁ ଫସଲ ଅମଳ ପାଇଁ ସଂଘର୍ଷ କରୁଥିବା ତେଲ ଲୁଣ ଦୁନିଆଁର ସାଧାରଣ ମଣିଷଟିଏ ବି କଳାକାର l ସିଏ ବାଣାସୁର, ଜଳନ୍ଧର, ତାରକାସୁର ଏମିତି ପୌରାଣିକ, କାଳ୍ପନିକ, ନତୁବା ଐତିହାସିକ ନାଟକର ରାଜା, ମନ୍ତ୍ରୀ ନାଇଁ ତ ସେନାପତି l
ବୈଷ୍ଣବ ପାଣିଙ୍କ ନାଟକର ଏହାହିଁ ସବୁଠାରୁ ବଡ଼ ସଫଳତା l ଏଠି ସମସ୍ତେ କଳାକୁ ହୃଦୟ ଦେଇ ଭଲପାଆନ୍ତି l ଜୀବନର ଜଳ ଛବିରେ ମାଟିରୁ ଆକାଶକୁ ଜଡେଇ ଧରନ୍ତି l ଯେଉଁ କାଳଜୟୀ ସ୍ରଷ୍ଟା ୧୮୮୨ କୁମାର ପୂର୍ଣ୍ଣିମାରେ ଜନ୍ମ ହୋଇ ୧୯୫୬ ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ l ସେଇ ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସମ୍ଭାର l ତାଙ୍କ ନିର୍ଦ୍ଦେଶିତ ଯାତ୍ରା, ତାଙ୍କ ବିରଚିତ ଗୀତିନାଟ୍ୟ, ତାଙ୍କ ନାଟକ, ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ ସବୁ ଯେମିତି ଓଡ଼ିଆ ବାଣୀଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି l
ପାଣି ସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି l ଶହେ ବର୍ଷ ତଳୁ ଅଭିନୀତ ତାଙ୍କ ନାଟକର ଲୋକପ୍ରିୟତା ଆଜି ବି ବଜାୟ ରହିଛି l ତେବେ ଦୁଃଖଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଆମ ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜି ବି ଝୁରୁଛି ଏବଂ ପୂଜ୍ୟପୂଜା ଜାରି ରଖିଛି l
ଜନ୍ମମାଟି କୋଠପଦାରେ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ଗଣକବିଙ୍କ ଦ୍ଵାରା ବ୍ୟବହୃତ ନିତ୍ୟ ବ୍ୟବହାର ସାମଗ୍ରୀ ଓ ବହିକୁ ପଦର୍ଶିତ କରିବା ସହିତ ତାଙ୍କର ସ୍ମୃତି ରକ୍ଷାପାଇଁ ଏକ ସଂଗ୍ରହାଳୟ ସ୍ଥାପନ ନିମନ୍ତେ ଗତ ୧୯୫୪ ମସିହାରୁ ଦାବି କରି ଆସୁଥିଲେ ସୁଦ୍ଧା ତାହା ଅଦ୍ୟାବିଧ ପୂରଣ ହୋଇପାରିନଥିବା ଦୁଃଖର ସହ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।
ଦୀର୍ଘ ୬୮ ବର୍ଷର ଦାବି ତଥା ଗୀତିନାଟ୍ୟ ସମ୍ରାଟଙ୍କ ସମ୍ମାନର୍ଥେ ଏବଂ ଆଗାମୀ ପିଢୀଙ୍କ ପାଇଁ ପ୍ରେରଣାର୍ଥେ ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଆସନ୍ତା ଭବିଷ୍ୟତରେ ଆହୁରୀ ଅନେକ ପାଣି ସାହିତିକ ସୃଷ୍ଟି ହୋଇପାରନ୍ତେ ବୋଲି ଆଶା ।
ସାଲେପୁରରୁ ଅଭୟ ଜେନା