ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ଗୋଶାଣୀ ମେଳଣ

ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଉତ୍ସବ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଥାଏ। ଦଶହରା ପରଦିନ ଏଠାରେ ଗୋଶାଣୀ ମେଳଣ ଅନୁଷ୍ଠିତ ହୋଇଥାଏ। ଶାରଦୀୟ ପାର୍ବଣର ଶେଷ ଦିନରେ ସଂଗଠିତ ଏହି ଦିବ୍ୟ ମେଳଣରେ ପ୍ରଦର୍ଶିତ ବିବିଧ ପ୍ରତିମା ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ।ଏଥିରେ ମୁଖ୍ୟତଃ ପ୍ରତିମା ଗଠନରେ ମୂର୍ତ୍ତିକାର, ଚିତ୍ରକାର ଓ ଜଡ଼ଉତ ବା ଅଳଙ୍କରଣ ପାଇଁ ସୋଲ ଶିଳ୍ପୀଙ୍କ ଅବଦାନ ରହିଥାଏ । ଅଧିକାଂଶ ପ୍ରତିମା ଗଠନରେ ମୂର୍ତ୍ତି ଓ ଚିତ୍ରଣ ଏକକ ଶିଳ୍ପୀଙ୍କ ଦ୍ୱାରା ସମାହିତ ହୋଇଥାଏ । ଜଡ଼ଉତ ବା ଅଳଙ୍କରଣ କାର୍ଯ୍ୟ ସାଧାରଣତଃ ତିନି ପ୍ରକାରର ହୋଇଥାଏ, ସମ୍ପୂର୍ଣ୍ଣ ସୋଲର କାମ, ସୁନେଲୀ ଜରି ଜମ୍ବୁରାର କାମ ଓ ରୂପେଲୀ ରଙ୍ଗର ଜରି ଜମ୍ବୁରାର କାମ । ସୁଦୃଶ ମେଢ଼ ସହ ଅନେକ ପ୍ରତିମାର ଆୟୁଧ ମଧ୍ୟ ଏହି ଜଡ଼ଉତ କାମରେ ପ୍ରସ୍ତୁତ ହୋଇ ଲଗାଯାଇଥାଏ । ଏହି କାର୍ଯ୍ୟ ଅତ୍ୟନ୍ତ କଳାତ୍ମକ ଶୈଳୀରେ ଶୈଳ୍ପୀକ ଦକ୍ଷତା ସମ୍ପନ୍ନ ହୋଇଥାଏ । ଏହାର ସଂଯୋଜନାରେ ପ୍ରତିମାଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଆନ୍ତି । ଶ୍ରୀକ୍ଷେତ୍ରରେ ପୂଜିତ ପ୍ରତିମା ଓ ଅଳଙ୍କରଣର ଅନୁକରଣ ଓଡ଼ିଶାର ଅନ୍ୟତ୍ର ପ୍ରାୟତଃ ଦେଖାଯାଏ ନାହିଁ । ଏହି ଦେବୀପୀଠ ଗୁଡିକ ମଧ୍ୟରେ ରହିଛନ୍ତି:-
୧. ମା’ ବାରବାଟୀ ,୨. ମା’ ଜହ୍ନିମୁଣ୍ଡିଆ ଠାକୁରାଣୀ, ୩. ମା’ ଜହ୍ନିଖାଇ ,୪. ମା’ ଜହ୍ନିଖାଇ
୫. ମା’ ହରଚଣ୍ଡୀ, ୬. ମା’ ବେଲବାଇ ,୭. ମା’ ପଣାପ୍ରିୟା ,୮. ମା’ ବନଦୁର୍ଗା, ୯. ମା’ ବନଦୁର୍ଗା,
୧୦. ମା ଗେଲବାଇ, ୧୧. ମା’ ଗେଲବାଇ, ୧୨. ମା’ ଶୀତଳେଶ୍ୱରୀ,୧୩. ମା’ ଶୂନ୍ୟ ଗୋଷାଣୀ ଇତ୍ୟାଦି ଛୋଟ ବଡ଼ ହୋଇ ପ୍ରାୟ ଦେଢଶହ ରୁ ଉର୍ଦ୍ଧ୍ବ ପ୍ରତିମା ଏକତ୍ରିତ ହୋଇଥାନ୍ତି।
ମଧ୍ୟ ରାତ୍ରରେ ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପ ବଢି ଶ୍ରୀମନ୍ଦିର ଚୁଡାରେ ମହାଦୀପ ଉଠିଲା ପରେ ଏହି ଦେବୀ ମାନେ ପାରମ୍ପରିକ ରୀତିରେ ଜଳରେ ବିଷର୍ଜିତ ହେବାକୁ ଯାତ୍ରା କରିଥାନ୍ତି। ଏହି ଅନନ୍ୟ ପରମ୍ପରା ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥାଏ। ଏହାହିଁ ଶ୍ରୀକ୍ଷେତ୍ର ର ଶାରଦୀୟ ପୂଜାର ବିଶେଷ ମହତ୍ତ୍ୱ।