ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ

ଦେଶରେ ମହିଳାଙ୍କ ଅଧିକାରକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି । ରାୟ ମୁତାବକ ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି (ଏମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି । ଏହି ସମୟରେ କୋର୍ଟ କହିଛନ୍ତି, ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତର ଅନ୍ତର କରାଯାଇ ପାରିବ ନାହିଁ । ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏହି କ୍ରମରେ ଜଣେ ମହିଳା ଗର୍ଭଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇ ପାରିବେ ।
ଏକ ମାମଲାର ଶୁଣାଣି କରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ କହିଛନ୍ତି କି ଜଣେ ବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର ଦେବା ଓ ଜଣେ ଅବିବାହିତ ମହିଳାଙ୍କୁ ଏଥିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏଭଳି ହେଲେ ଏହା ଅନୁଛେଦ ୧୪ କ୍ରମରେ ସମାନତା ଅଧିକାରର ଉଲଙ୍ଘନ ବୋଲି ବେଞ୍ଚ କହିଛନ୍ତି । କୋର୍ଟ ଆହୁରି କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯଦି ଜଣେ ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଛନ୍ତି, ତା’ହେଲେ ପଞ୍ଜୀକୃତ ମେଡିକାଲ କର୍ମଚାରୀ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକ ନାହିଁ ।
ଅସୁରକ୍ଷିତ ଗର୍ଭପାତ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି, ଅସୁରକ୍ଷିତ ଗର୍ଭପାତ ଏବେ ବି ମାତୃ ମୃତ୍ୟୁହାରର ତୃତୀୟ ସର୍ବାଧିକ କାରଣ ସାଜିଛି । ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ ଉପାୟରେ କରାଯାଉଛି । ସୁରକ୍ଷିତ ଗର୍ଭପାତ ସେବା ଯୋଗାଇ ଦେବାକୁ ମନା କରିବା ଓ କଟକଣା ଯୁକ୍ତ ଗର୍ଭପାତ କରିବା ଅସୁରକ୍ଷିତ ଗର୍ଭପାତ ବଢ଼ିବାର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ।
ଜଣେ ୨୫ ବର୍ଷିୟା ଅବିବାହିତ ମହିଳା ଗର୍ଭପାତ କରାଇବା ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ନେଇ କୋର୍ଟଙ୍କ ଅନୁମତି ମାଗିଥିଲେ । ପ୍ରଥମେ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ମହିଳା ଜଣଙ୍କ ଉଚ୍ଚ ନ୍ୟାୟଳୟରେ ଆବେଦନ କରିଥିଲେ ।
ଏହି ଅବସରରେ କୋର୍ଟ କହିଛନ୍ତି ଯେ, ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ । ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ । ବିବାହିତ ମହିଳାମାନେ ମଧ୍ୟ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ବର୍ଗର ପୀଡ଼ିତାଙ୍କ ଅଂଶବିଶେଷ । ଇଚ୍ଛା ନ ଥାଇ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଉଛନ୍ତି । ତେଣୁ ଯଦି ଜଣେ ବିବାହିତ ମହିଳା କିମ୍ବା ଅବିବାହିତ ମହିଳା ଗର୍ଭପାତ କରିବାକୁ ଚାହୁଁଛନ୍ତି, ତା’ହେଲେ ବିନା ଦୁଷ୍କର୍ମ ମାମଲା ରୁଜୁ କରି ଏହା କରାଯାଇ ପାରିବ ।