ପଥଚାରୀଙ୍କ ପାଇଁ ଲୋକାର୍ପିତ ହେଲା ଫାଷ୍ଟେଡ୍ ବକ୍ସ

ଜଟଣୀ: ଦୁର୍ଘଟଣା ସମୟରେ ପଥଚାରୀଙ୍କୁ ତୁରନ୍ତ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ଫାଷ୍ଟେଡ୍ ବକ୍ସ । ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଏହି ଫାଷ୍ଟେଡ୍ ବକ୍ସ ଲୋକାର୍ପିତ ହୋଇଛି । ବର୍ଷତମାମ ସହର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିବା ସହ ଜନମାନସରେ ପ୍ରଶଂସିତ ହୋଇପାରିଛି ସମ୍ଭାବନା ପରିବାର । ସର୍ବଦା ଜନହିତକର କାର୍ଯ୍ୟ ଯଥା- ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ବାର୍ତ୍ତା ପ୍ରଚାର ଆଦି କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ବର୍ତ୍ତମାନ ରାସ୍ତାରେ ଯାଉଥିବା ଦୁର୍ଘଟଣାଗ୍ରସ୍ତ ପଥଚାରୀମାନଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ସହରର କିଛି ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନରେ ସ୍ଥାପନ କରାଯାଇଛି ଫାଷ୍ଟେଡ୍ ବକ୍ସ । ଜଟଣୀ ସହର ସ୍ଥିତ ସୀତାରାମ ଛକ ଏବଂ ନୀଳଚକ୍ର ମାର୍କେଟର ସଂଯୋଗ ସ୍ଥାନରେ ସ୍ଥାପିତ ଫାଷ୍ଟେଡ୍ ବକ୍ସକୁ ଲୋକାର୍ପିତ କରିଛନ୍ତି ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମଣ କୁମାର ରାୟ । ଆଗକୁ ସବୁ ଛକରେ ଜନସାଧାରଣଙ୍କ ସୁବିଧା ପାଇଁ ଫାଷ୍ଟେଡ୍ ବକ୍ସ ଲୋକାର୍ପିତ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ, ସଭାପତି ସନ୍ତୋଷ କୁମାର ହୋତା, ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସ, ସଂଗଠନ ସମ୍ପାଦକ ଦିଲୀପ ସିଂ, କୋଷାଧକ୍ଷ ନିରୂପମା ସ୍ୱାଇଁ, ମୁଖ୍ୟ ପରାମର୍ଶଦାତା ଭାସ୍କର ଚନ୍ଦ୍ର ଡାକୁଆ, ଉପସଭାପତି ସଞ୍ଜୟ ବରିସଲ, ମମତା ବେହେରା, ମିଡିଆ ସେଲ ସଂଯୋଜକ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ସଂଗଠନ ସମ୍ପାଦକ ଶରତ କୁମାର ରେଡି, ଏମ୍ ଶଙ୍କର ରାଓ, ସିଏଚ୍ ମିନାକ୍ଷୀ ରେଡ୍ଡୀ, ବିଶିଷ୍ଟ ଯୁବ ବ୍ୟବସାୟୀ ଶ୍ୟାମ ଅଗ୍ରୱାଲଙ୍କ ସମେତ ବଜାରର ବହୁ ବ୍ୟବସାୟୀ ଓ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ