ଟାର୍ଗେଟ ଓଡିଶାରେ ପଦ୍ମ !

ବିଜେପିର ଟାର୍ଗେଟ ଓଡିଶାରେ ଫୁଟିବ ପଦ୍ମ । ୨୦୨୪ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେବା ପାଇଁ ରୋଡ ପ୍ଲାନ୍ ପ୍ରସ୍ତୁତ କରୁଛି ବିଜେପି । ଗତ ଅଗଷ୍ଟରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିବା ବେଳେ ସେପ୍ଟେମ୍ବର ପ୍ରାରମ୍ଭରେ ଦଳର ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏଠାକୁ ଆସିଥିଲେ । ଆଉ ଏବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି । ଦଳର ତୁଙ୍ଗ ନେତାଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଛି । ଫଳରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ଫଳାଫଳକୁ ନେଇ ଦଳୀୟ କର୍ମୀ ନିରାଶ ହୋଇ ପଡ଼ିଥିବା ବେଳେ ଏବେ ପୁଣି ଥରେ ସେମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୫୦% ସିଟ୍ ହାସଲ କରିବା ଲକ୍ଷ୍ୟ ରଖିଛି । ଏହାକୁ ଫଳପ୍ରଦ କରିବା ପାଇଁ ଆଜି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦଳକୁ ସୁସଂଗଠିତ କରିବା ସହ ଦଳରେ ଏକତା ବଜାୟ ରଖି ଜନସାଧାରଣଙ୍କ ପାଇଁ କାମ କରିବାକୁ ଉଦବୋଧନ ଦେବେ ନଡ୍ଡା । ଏହା ସହ ବିଜେଡିର ଦୋଷ ଦୁର୍ବଳତା ବିଷୟରେ ଆଲୋଚନା କରି ଆଗାମୀ ଦିନରେ ବିଜେପିର ଜନହିତକର କର୍ଯ୍ୟ ଉପରେ ଆଲୋକପାତ କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।