ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଲେଖିଛନ୍ତି, “ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାମାଜିକ କର୍ମୀ ଥିଲେ । ନିଜ ସେବା ତଥା ନିଷ୍ଠା ମାଧ୍ୟମରେ ରାଜ୍ୟବାସୀଙ୍କୁ ଭଲ ପାଉଥିଲେ । ତାଙ୍କ ପରିବାର, ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ମୁଁ ସମବେଦନା ଜଣାଉଛି” ।
ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ମହୋଦୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରିଛନ୍ତି ଯେ, “ଜୟନ୍ତୀଙ୍କର ବିୟୋଗ ସମାଜସେବା ଓ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି କରିଛି” ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ଟୁଇଟରେ ସେ ଲେଖିଛନ୍ତି, “ଶ୍ରୀମତି ପଟ୍ଟନାୟକ ରାଜନୀତି ସହ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ଜଣେ ଲେଖିକା ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ତାଙ୍କ ବିୟୋଗରେ ଓଡିଶା, ରାଜ୍ୟ ରାଜନୀତି ଜଗତର ଜଣେ ପ୍ରତିଷ୍ଠିତ ମହିଳାଙ୍କୁ ହରାଇଲା” ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ । ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।