ଜନସାଧାରଣଙ୍କ ସେବାରୁ କେବେ ବିରତି ନେବି ନାହିଁ: ବିଧାୟିକା

ହିନ୍ଦୋଳ ଏନ୍ଏସିରେ ଜାଗା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଗରିବ ଭୂମିହୀନଙ୍କୁ ଜାଗା, ଘର, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ସ୍ବପ୍ନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜାଗା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ ତଣ୍ଟିଚିରାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଏନ୍ଏସି କାର୍ଯ୍ୟକାରୀ ଅଧ୍ୟକ୍ଷ ଟିମା ବେହେରା, ନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିଭାସ, ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ବରୁଣ ସର, ଏନ୍ଏସି ନଗର ତଥା ସେବା ସମବାୟ ସମିତି ସଭାପତି ଗୋବିନ୍ଦ ବେହେରା,ଏନ୍ଏସି ଯୁବବିଜେଡି ସଭାପତି ରୁଦ୍ରନାରାୟଣ ପ୍ରସାଦ ଦାସ, ୱାର୍ଡ ନଂ ୧୧ କାଉନସିଲର ତଥା ଯୁବବିଜେଡି ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ୱାର୍ଡ ନଂ ୪ କାଉନସିଲର ତଥା ବିଜେଡି ସମ୍ପାଦକ ତପନ ପରିଡା, କାଉନସିଲର ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୋଳ ଏନ୍ଏସି ତଥା ହିନ୍ଦୋଳ ଉପଖଣ୍ଡର ପ୍ରଗତିରେ ଓ ଜନସାଧାରଣଙ୍କ ସେବାରେ କେବେ ବିଶ୍ରାମ ନେବେ ନାହିଁ ବୋଲି ବିଧାୟିକା ମତପୋଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ସୁଜିତ କୁମାର ବେହେରା