କିଏ ଶୁଣିବ ଭିକାରୀଙ୍କ ଗୁହାରୀ ? କେବେ ମିଳିବ ତାଙ୍କୁ ଆବାସ ଗୃହ

କିଏ ଶୁଣିବ ଭିକାରୀଙ୍କ ଦୁଃଖ । ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ନିକଟରେ ଫେରାଦ ହେଲେଣି । ହେଲେ ତାଙ୍କ ଦୁଃଖ ଶୁଣିବ କିଏ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାସହୀନ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଈଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ବହୁ ଯୋଜନାମାନ ପ୍ରଣୟନ କରୁଛନ୍ତି । ମାତ୍ର ଯୋଜନା ସବୁ ଅନେକ ସମୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ ।
ଏହି ବ୍ୟକ୍ତି ଜଣକ ହେଉଛନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍ ଛଚିନା ଗ୍ରାମପଞ୍ଚାୟତ ମଠବରିଡା ଗ୍ରାମର ଭିକାରୀ ମାଝୀ । ଦୁଇ ହାତ ଓସାରିଆ ଭଙ୍ଗା ଘରେ ବିତୁଛି ଭିକାରୀ, ତାଙ୍କ ସ୍ତ୍ରୀ ଓ ତିନି ଝିଅଙ୍କ ଜୀବନ । ଚାଳଛପର ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି ୫ ପ୍ରାଣୀ କୁଟୁମ୍ବ । ବର୍ଷାଦିନେ ଘର ସାରା ପାଣି ଗଳୁ ଥିବାବେଳେ ଶୀତ ଦିନେ ଶୀତ କାକରରେ ବିତେ ଜୀବନ ।

କିଛିଦିନ ପୂର୍ବେ ଭିକାରୀ ଅନାହାରରେ ପଡି ଥିବାବେଳେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଦାମ ମଣ୍ଡଳଙ୍କ ସହାୟତାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ତେବେ ସେହି ସମୟରେ ତତ୍କାଳୀନ ବିଡିଓ ଆବସ ଯୋଗଦେବା ପାଇଁ ଭିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେଯାଏଁ ପ୍ରତିଶ୍ରୁତିରେ ହିଁ ରହିଯାଇଛି ।

ଭିକାରୀ ଅତ୍ୟନ୍ତ ଗରିବଶ୍ରେଣୀର ହୋଇଥିବାବେଳେ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିବା କଷ୍ଟକର ।
ଏଭଳି ସ୍ଥଳେ ଯଦି ସରକାର ଗରିବ ଭିକାରୀ ମାଝୀଙ୍କ ଉପରେ କୃପାଦୃଷ୍ଟି ପକାନ୍ତେ ତେବେ ପରିବାର ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରା ମିଲିପରନ୍ତା ବୋଲି ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷେ ଗ୍ରାମବାସୀମାନେ ମଧ୍ୟ ଭିକାରୀ ପାଈଁ ଆବସ ଖଣ୍ଡେ ଯୋଗଦେବା ଲାଗି ବ୍ଲକ ପ୍ରଶାସାନକୁ ଦାବି କରିଛନ୍ତି ।
ବେଗୁନିଆପଡ଼ାରୁ ବାପୁନି କୁମାର ମାଲୁ