ଭଙ୍ଗା କୁଡିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ବାରମ୍ବାର ଗୁହାରୀ ପରେ ବି ଶୁଣୁନି ପ୍ରଶାସନ…

ବେଗୁନିଆପଡା: ଭଙ୍ଗା କୁଡିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ଏ ଦୁର୍ଦ୍ଦଶା ଆଜିକାର ନୁହେଁ । ଦୀର୍ଘ ୧୦ ବର୍ଷ ହେଲାଣି ଏକ ଭଙ୍ଗା ଚାଳ କୁଡିଆରେ ବହୁ ଦୁଃଖ କଷ୍ଟରେ ବସବାସ କରୁଛନ୍ତି ରମା ନାହକ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ତାଳଗାଁ ଗ୍ରାମର ରମା ନାହକଙ୍କର । ସ୍ବାମୀ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ରମାଙ୍କ ସଂସାର । ସ୍ବାମୀ ସ୍ତ୍ରୀ ଦୁହେଁ ଦିନ ମଜୁରୀ କଲେ ପରିବାର ଚଳାନ୍ତି । ଓଳିଏ ଖାଇଲେ ଓଳିଏ ଉପାସ । ସରକାର ଗରିବ ଗୁରୁବାଙ୍କ ନିମନ୍ତେ ଯୋଜନା ଉପରେ ଯୋଜାନ ପ୍ରଣୟନ କରୁଛନ୍ତି । ଗରିବଙ୍କ ବାସସ୍ଥାନ ପାଇଁ ଆବାସ ଯୋଜନାରେ ବହୁ ଅର୍ଥ ମଧ୍ୟ ବିନିଯୋଗ କରୁଛନ୍ତି । ତେବେ ଆଜି ବି ଅନେକ ଲୋକଙ୍କୁ ଏଭଳି ଭଙ୍ଗା ଦଦରା ଚାଳ କୁଡିଆରେ ଦେଖିବା ପରେ ଯୋଜନା ସବୁ କାହାପାଇଁ ବୋଲି ପ୍ରଶ୍ନ ଉଠେ ।
ନିର୍ବାଚନ ସମୟରେ ରମାଙ୍କ ନିକଟକୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସନ୍ତି ଏବଂ ତାଙ୍କ ଦୁଃଖ ଦେଖି ପୁଳା ପୁଳା ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିଲେ ନା ଦେଖା ଦିଅନ୍ତି କୌଣସି ନେତା ବା ମନ୍ତ୍ରୀ । ଅପରପକ୍ଷେ ଘର ଖଣ୍ଡିଏ ପାଇଁ ରମା ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡୁଛି । ଏ ନେଇ ରମାଙ୍କୁ ପଚାରିବାରୁ, “ଗରିବଙ୍କ ଗିହାରୀ କିଏ ଶୁଣୁଛି” ବୋଲି କୋହଭରା କଣ୍ଠରେ ସେ କହିଛନ୍ତି । ତେବେ ବର୍ତ୍ତମାନ ଅପେକ୍ଷା ରମାଙ୍କ ଗୁହାରୀ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ଏବଂ ରମାଙ୍କ ଦୁଃଖ କେବେ ଲାଘବ ହେଉଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ