ଓଡିଆରେ ପରୀକ୍ଷା ଦେଇପାରିବେ ଓଏଏସ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ଓଏଏସ ପରୀକ୍ଷାର୍ଥୀ । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏ ନେଇ ଜାଣିପାରିନଥିଲେ । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁକିଛି ପୂର୍ବରୁ ଇଂରାଜୀରେ ହେଉଥିବାବେଳେ ଏବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇ ହେବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇ ପାରିବେ ।
ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଥିବାବେଳେ ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିଲା । ଏ ନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।