ସମସ୍ତଙ୍କୁ ହସାଉଥିବା ମଣିଷ ଚିରନିଦ୍ରାରେ । ପରପାରିରେ ଫେମସ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ପରଲୋକରେ ଫେମସ୍ କମେଡିଆନ୍ ତଥା ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ରାଜୁ ଶ୍ରୀବାସ୍ତବ । ଦୀର୍ଘ ୪୨ ଦିନର ସଂଘର୍ଷ ପରେ ୫୮ ବର୍ଷ ବୟସରେ ଆଖି ବୁଜିଲେ ରାଜୁ । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ ସେହି ଦିନ ହିଁ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କିନ୍ତୁ ତାଙ୍କ ଚେତା ଫେରିନଥିଲା । ସେ କୋମାକୁ ଚାଲି ଯାଇଥିଲେ । ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା । ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା । ତାଙ୍କୁ ବାରମ୍ବାର ଜ୍ୱର ହେଉଥିଲା । ତେଣୁ ଇନ୍ଫେକସନ୍ ଭୟରେ ରାଜୁଙ୍କୁ ଭେଟିବାକୁ ପରିବାର ଲୋକଙ୍କୁ ମଧ୍ୟ ଡାକ୍ତରମାନେ ଅନୁମତି ଦେଇନଥିଲେ ।
ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି । ରାଜୁଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ବଲିଉଡଠାରୁ ଆରମ୍ଭ କରି ଟେଲିଭିଜନ ଇଣ୍ଡଷ୍ଟ୍ରି ସବୁଠି ଶୋକର ଛାୟା ଖେଳିଯାଇଛି । କେହି ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ସୋଶାଲ ମିଡିଆରେ ଫ୍ୟାନ୍ମାନଙ୍କଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ତାଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
Comedian Raju Srivastava passes away in Delhi at the age of 58, confirms his family.
— ANI (@ANI) September 21, 2022
He was admitted to AIIMS Delhi on August 10 after experiencing chest pain & collapsing while working out at the gym.
(File Pic) pic.twitter.com/kJqPvOskb5
କମେଡି ଶୋ’ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ’ରେ ରାଜୁକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ । ଅନେକ ଫ୍ଲିଲ୍ମରେ ଅଭିନୟ କରିଥିଲେ ରାଜୁ । କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବେତାଜ ବାଦଶାହା । ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କୁ ‘ବିଗ୍ବସ୍ ସିଜିନ୍-୩’ ରେ ଦେଖିବାକୁ ମିଳିଥିଲା । ବିଭିନ୍ନ ରିୟାଲିଟି ସୋ’ରେ ତାଙ୍କ କମେଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିଲା ।

ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ଫିଲ୍ମ ଜଗତରେ ନିଜର ହାସ୍ୟରସ ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଆମର ପ୍ରିୟ ବିଜେପି ନେତା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ମୃତ୍ୟୁ କଳା ଏବଂ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।’