ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ହେଲେ ରତନ ଟାଟା

ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ରତନ ଟାଟାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଏଣିକି ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବେ ତାଙ୍କୁ ଦାୟିତ୍ବ ମିଳିଛି । ଏହି ଟ୍ରଷ୍ଟରେ ଟାଟାଙ୍କ ସହିତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ.ଟି ଥୋମାସ୍, ପୂର୍ବତନ ଉପ-ବାଚସ୍ପତି କରିୟା ମୁଣ୍ଡାଙ୍କୁ ସାମିଲ କରାଯାଇଛି । ଏ ସମ୍ପର୍କରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ଏହାବାଦ୍ ଦେଶର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ପରାମର୍ଶଦାତା ସମୂହ ପାଇଁ ମନୋନୀତ କରାଯାଇଛି । ଆଡଭାଇଜରି ବୋର୍ଡରେ ପୂର୍ବତନ ସିଏଜି ରାଜୀବ ମେହର୍ଷି, ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୂର୍ତ୍ତି, ଇଣ୍ଡିକୋପର୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ ସିଇଓ ଆନନ୍ଦ ଶାହଙ୍କୁ ସ୍ଥାନ ମିଳିଛି ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିଥିଲେ । ଏହାସହ ନୂଆ କରି ନିଯୁକ୍ତ ହୋଇଥିବା ସଦସ୍ୟ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଉଲ୍ଲେଖନୀୟ ଯେ, ପିଏମ କେୟାର ଫଣ୍ଡ ୨୦୨୦ରେ କରୋନା ମହାମାରୀ ସମୟରେ ସ୍ଥାପନ କରାଯାଇଥିଲା । ଏହି ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରତନ ଟାଟା ଏମିତି ଜଣେ ବ୍ୟକ୍ତି ଯିଏ କେବଳ ଜଣେ ଉଦ୍ୟୋଗପତି ନୁହନ୍ତି ବରଂ ଜଣେ ପରୋପକାରୀ ଏବଂ ହୃଦୟବାନ ବ୍ୟକ୍ତି । ସେ ଲୋକଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ସ୍ରୋତ ମଧ୍ୟ । ସେ ଟାଟା ଗ୍ରୁପ ସହ ଜଡିତ ଛୋଟରୁ ଛୋଟ କର୍ମଚାରୀଙ୍କୁ ନିଜର ପରିବାର ମାନିଥାନ୍ତି । କର୍ମଚାରୀମାନଙ୍କ ସୁଖଦୁଃଖ ବୁଝିବାରେ ତିଳେ ହେଲେ ହେଳା କରନ୍ତି ନାହିଁ । ଏପରିକି ଆୟର ଏକ ବଡ ଅଂଶକୁ ସେ ଦାନ କରି ଆସିଛନ୍ତି ।