ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦନ୍ୟତା । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର

ଗଜପତି: ଥ୍ୟାଙ୍କ ୟୁ ୧୦୮ ଆମ୍ବୁଲାନ୍ସ କର୍ମୀ । ଆପଣ ସାହାଯ୍ୟ କଲେ ବୋଲି ଆଜି ଗର୍ଭବତୀ ମହିଳା ଜଣକ ସୁସ୍ଥ ଅଛନ୍ତି । ଗଜପତି ଜିଲ୍ଲାରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ ଆମ୍ବୁଲାନ୍ସ ଆସିଲା ମାତ୍ର କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଗାଁଠାରୁ ୩ କିଲୋମିଟର ଦୂରରେ ଅଟକି ରହିଲା ଆମ୍ବୁଲାନ୍ସ ଗାଡି । ପରେ ଆମ୍ବୁଲାନ୍ସ କର୍ମଚାରୀ ବିଦ୍ୟାଧର ସାହୁ ୩ କିଲୋମିଟର ରାସ୍ତା ଅତିକ୍ରମ କରି ଷ୍ଟ୍ରେଚର ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ଗାଡି ନିକଟକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚନ୍ଦ୍ରଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଗର୍ଭବତୀଙ୍କ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ଅପରପକ୍ଷେ ଆମ୍ବୁଲାନ୍ସ କର୍ମୀ ବିଦ୍ୟାଧରଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।
ଗଜପତିରୁ ବିବେକାନନ୍ଦ ବେହେରା