ପରପାରିରେ ସରକାରୀ ଦଳର ତୀବ୍ର ସମାଲୋଚକ ବିଷ୍ଣୁ ସେଠୀ । ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ।

ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ହୃଦଘାତ ଯୋଗୁଁ ଆଜି ସକାଳୁ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀ ରୋଗରେ ପୀଡ଼ିତ ଥିଲେ । ତେବେ ମାସକ ତଳେ ତାଙ୍କର ଫୁସଫୁସ୍ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ ବିଷ୍ଣୁ ସେଠୀ । ୨୦୦୦ ଓ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଷ୍ଣୁ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ବିଜେପିର ଜଣେ ଟାଣୁଆ ନେତା ତଥା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ସେ ବେଶ୍ ପରିଚିତ ଥିଲେ । ରାଜନୀତି ସହ ଜଣେ ଭଲ ଲେଖକ ଓ କବି ଭାବେ ବେଶ୍ ଜଣାଶୁଣା ଥିଲେ ବିଷ୍ଣୁ ସେଠୀ ।

ବିଧାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କର କଲ୍ୟାଣକାରୀ କାର୍ଯ ସର୍ବଦା ସ୍ମରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) September 19, 2022
ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ବିଷ୍ଣୁ ସେଠୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ କେବଳ ବିଜେପି ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି ଦଳୀୟ କର୍ମୀ ମତ ପ୍ରକାଶ କରିଛନ୍ତି ।
ବିଧାୟକ ଵିଷ୍ଣୁ ଚରଣ ସେଠୀଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି l 🙏
— Governor Odisha (@GovernorOdisha) September 19, 2022
ବିଷ୍ଣୁ ସେଠୀ ଏବେ ବିଧାୟକ ଥିବାରୁ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯିବ । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଷ୍ଣୁ ସେଠୀଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସେଠାରୁ ତାଙ୍କ ମରଶରୀରକୁ ବିଜେପି ପାର୍ଟି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳର ବରିଷ୍ଠ ନେତା ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।