ନୂଆଁଖାଇ ପର୍ବ ପାଳନର ପରମ୍ପରା ଏବଂ ଇତିହାସ ସମ୍ପର୍କରେ…

ପରମ୍ପରା ଗୋଟିଏ ଗୋଷ୍ଠୀର ଗତିଶୀଳତାକୁ ବଜାୟ ରଖିଥାଏ ଏବଂ ପରମ୍ପରାର ଅଭାବରେ କୌଣସି ଉପାଦାନ ‘ଲୋକ ଉପାଦାନ’ ଭାବରେ ପରିଗଣିତ ହୋଇପାରେ ନାହିଁ । ଗୋଟିଏ ଗୋଷ୍ଠୀର ଧାରା (lore) ବା ଆଦାନପ୍ରଦାନ ପ୍ରକ୍ରିୟାକୁ ଆମେ ପରମ୍ପରା କହିଥାଉ । ଏତଦ୍ ବ୍ୟତୀତ ପରମ୍ପରାଟିଏ ନିଜକୁ ‘ପରମ୍ପରା’ ଭାବେ ପ୍ରତିଷ୍ଠା କରିବା ପାଇଁ ଯେଉଁସବୁ ପ୍ରକ୍ରିୟାର ଆବଶ୍ୟକତା ଥାଏ, ‘ପରମ୍ପରା’ କହିଲେ ସେହି ସମସ୍ତ ପ୍ରକ୍ରିୟାର ସାମଗ୍ରିକ ସ୍ୱରୂପକୁ ବୁଝାଏ । ଉଦାହରଣସ୍ୱରୂପ, ନୂଆଁଖାଇ ପର୍ବକୁ ଆମେ ପରମ୍ପରା କହିବାକୁ ହେଲେ, ଏହାର ପରିବେଷଣ, ସମ୍ପ୍ରସାରଣ, ପାଳନର ଧାରାବାହିକତା ବା ପାରମ୍ପରିକତା (continuity) ଆଦି ରହିବା ଆବଶ୍ୟକ । ନଚେତ୍ ଆମେ ଏହାକୁ ପରମ୍ପରା ବୋଲି କହିପାରିବା ନାହିଁ ।
ଯେଉଁ ଦେଶ ବା ରାଜ୍ୟ ନିଜ କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ବଜାୟ ରଖିଥାଏ, ସେ ଦେଶ ବା ରାଜ୍ୟ ସେତେ ଉନ୍ନତ ବୋଲି କୁହାଯାଏ । କହିବାକୁ ଗଲେ ଆମେ ଦେଶର ବିଭିନ୍ନ ଭାଗରେ ଅନେକ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଉ ଭିନ୍ନ ଭିନ୍ନ ଲୋକଙ୍କ ଚଳଣୀ ମଧ୍ୟ ଭିନ୍ନ । କହିବା ବାହୁଲ୍ୟ, ଆମ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଐତିହ୍ୟ, ସଂସ୍କୃତି ସାଙ୍ଗକୁ ପରମ୍ପରା ବହନ କରେ ।
ପୂର୍ବ ଓଡିଶାର ରଜପର୍ବ ଏବି ରଥଯାତ୍ରା ଖୁବ୍ ଧୁମଧାମରେ ପାଳନ କରାଯାଏ । ସେହିପରି ପଶ୍ଚିମ ଓଡିଶା ଯଥା- ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଜିଲ୍ଲାରେ ‘ନୂଆଁଖାଇ’ ବା ‘ନବାନ୍ନ’କୁ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ । ଏହା ହେଉଛି ପଶ୍ଚିମ ଓଡିଶାର ପାରମ୍ପରିକ ପର୍ବ । ଯେଉଁଥିରେ ବର୍ଷର ପ୍ରଥମ ଅନ୍ନକୁ ମା’ ଇଷ୍ଟ ଦେବୀଙ୍କୁ ସମର୍ପଣ କରାଯାଏ । ଏହା ଏକ କୃଷିଭିତ୍ତିକ ପର୍ବ । ଭାଦ୍ରବ ମାସର ଶୁକ୍ଳପକ୍ଷରେ ପୂର୍ବରୁ ଜ୍ୟୋତିଷମାନଙ୍କଦ୍ୱାରା ସ୍ଥିରୀକୃତ ହୋଇଥିବା ତିଥିରେ ନୂଆଁଖାଇ ପର୍ବ ପାଳିତ ହୁଏ ।
ନୂଆଁଖାଇର ଇତିହାସ :-
ଆମ ଦେଶରେ ପ୍ରାୟ ୬୪୫ ସମ୍ପ୍ରଦାୟର ଆଦିବାସୀ ଜାତି ଓ ଜନଜାତି ବସବାସ କରନ୍ତି । ସେଥିମଧ୍ୟରୁ ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାରର ଆଦିବାସୀ ଜାତି ଓ ଜନଜାତି ବାସ କରନ୍ତି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଇଷ୍ଟଦେବ ପ୍ରକୃତି ହୋଇଥାଆନ୍ତି । ତେଣୁ ପ୍ରକୃତି ଦତ୍ତ ପ୍ରଥମ ଅନ୍ନକୁ ସେମାନେ ଇଶ୍ୱରଙ୍କୁ ନୈବେଦ୍ୟ ଆକାରରେ ପ୍ରଦାନ କରନ୍ତି, ଏବଂ ଏହି ପରମ୍ପରାକୁ ‘ନୂଆଁଖାଇ’ ବୋଲି କହୁଥିଲେ । ଏହି ପରମ୍ପରା କେବେଠୁ ଆରମ୍ଭ ହେଲା ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । କିନ୍ତୁ ଏହି ପରମ୍ପରା ସମ୍ବଲପୁରର ଆଦିବାସୀଙ୍କ ନିକଟରୁ ଆସିଥିବା ବିଶ୍ୱାସ ରହିଛି । କାରଣ ୧୫୦୦ ଶତାବ୍ଦୀରେ ଓଡିଶାକୁ ଚୌହାନ ବଂଶୀୟ ରାଜାମାନେ ପ୍ରବେଶ କରିଥିଲେ । ସେହି ସମୟରେ ସ୍ଥାନୀୟ ଆଦିବାସୀମାନେ ମା’ ସମଲେଇଙ୍କୁ ନିଜର ଇଷ୍ଟଦେବୀ ରୂପେ ଗ୍ରହଣ କରିଥିଲେ । ଏଣୁ ଆଦିବାସୀଙ୍କ ବିଶ୍ୱାସଭାଜନ ହେବା ଲାଗି ଚୈହାନ ବଂଶୀୟ ରାଜାମାନେ ଏହାକୁ ନିଜର ମୁଖ୍ୟ ପର୍ବ ଭାବେ ମାନିନେଲେ । ସେବେଠାରୁ ଏହା ପଶ୍ଚିମ ଓଡିଶାରେ କୃଷିଭିତ୍ତିକ ଗଣପର୍ବ ଭାବେ ପରମ୍ପରା ବହନ କରିଆସୁଥିଲା । ତେବେ ପରବର୍ତ୍ତୀ ମୂହୂର୍ତ୍ତରେ ଅର୍ଥାତ୍ ୧୯୯୨ରେ ପଷ୍ଚିମ ଓଡିଶାର ସଚେତନ ନାଗରିକମାନେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭେଟି କୃଷିଭିତ୍ତିକ ଗଣପର୍ବ ଯାହାକୁ ଆମେ ‘ନୂଆଁଖାଇ’ ରୂପେ ଜାଣିଛେ ତାକୁ ଗଣେଶ ପୂଜାର ପରଦିନ କରିବାକୁ ପ୍ରସ୍ତାବ ଦେଇଥିଲେ । ପରେ ଏହା ଗୃହୀତ ହୋଇ ଷ୍ଟେଟ୍ ହୋଲିଡେ ରୂପେ ଗ୍ରହଣ କରାଗଲା । ଏବଂ ସେବେଠାରୁ ‘ନୂଆଁଖାଇ’ ଆମ ରାଜ୍ୟରେ ଏହି ପରମ୍ପରା ବହନ କରିଆସୁଛି ।
ମା’ ବହେନ୍, ଭାଏ, ଦାଦା, ସିଆନ୍ ସୁଜନ
ସବକୁ ନୂଆଖାଇ ଜୁହାର ।
ମା’ ସମଲେଇର ଛତର ସବ୍ କେ
ହେଇଥାଇ ସାହା ।
ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ, ବଲାଙ୍ଗୀରରେ ପାଟଣେଶ୍ୱରୀ, ସୋନପୁରରେ ସୁରେଶ୍ୱରୀ ଓ କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ଏହି ନବାନ୍ନ ଘୋବ ପ୍ରସ୍ତୁତି ପାଇଁ ଭାଦ୍ରବ ମାସରେ ଅମଳ ହେଉଥିବା ଏକ ସ୍ୱତନ୍ତ୍ର ଛୋଟ ସରିଆ ଧାନକୁ ପୂର୍ବରୁ ବୁଣାଯାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ଏହାକୁ ପ୍ରତ୍ୟେକ ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଭୋଗ ଲଗାଯିବା ଲାଗି ପଣ୍ଡିତମାନଙ୍କଦ୍ୱାରା ଲଗ୍ନ ଧାର୍ଯ୍ୟ ହୋଇଥାଏ । ଏହାକୁ ନୂଆଁଖାଇର ଲଗ୍ନଧାର୍ଯ୍ୟ ନୀତି କୁହାଯାଏ ।
ପର୍ବପାଳନର ବିଶେଷତା:-
ଧାନ ଅମଳର ଖୁସିରେ ଚାଷୀ ଏହାକୁ ପାଳନ କରେ । ଚାଷୀ ପ୍ରଥମ କରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ତେବେ ଏହି ସମୟରେ ନବାନ୍ନ ସହ ଆରିସା ପିଠା ମଧ୍ୟ ଭୋଗ କରାଯାଏ । ଗ୍ରାମ ବା ସହରର ପଡା ଅଞ୍ଚଳରେ ଗ୍ରାମର ମୁଖ୍ୟ ଯାହାଙ୍କୁ ‘ଗୌନ୍ତିଆ’ ବା ‘ଝାଙ୍କର’ କୁହାଯାଏ ସେ ନୂଆଁଖାଇ ଦିନ ଇଷ୍ଟଦେବୀଙ୍କୁ ନବାନ୍ନ ଦେଇ ପୂଜାବିଧି ସମାପ୍ତ କରିବା ପରେ ପରିବାରର ମୁଖ୍ୟ ‘ମୁଖିଆ’ ବା ‘ପୂଝାରୀ’ ନୂଆ ବସ୍ତ୍ର ପିନ୍ଧି ଘରେ ଦେବାଦବୀ ଏବଂ ପିତୃପୁରୁଷଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି ।
ପୂଜାବିଧି :-
ଏହି ଦିନ ମା’ମାନେ ନୂଆଲୁଗା ପିନ୍ଧି ପୂଜାପାଠ ପାଇଁ ଅନେକ ପ୍ରକାରର ଖିରି, କାକରା ପିଠା, ଚିନି ପିଠା, ଆରିସା ପିଠା ପ୍ରସ୍ତୁତ କରିଥାଆନ୍ତି । ଘରର ମୁଖ୍ୟ ଗାଧୋଇ ସାରିବା ପରେ କୁରେଇ ପତ୍ର, ଧାନକେଣ୍ଡା ଆଣିଥାଆନ୍ତି । ଧାନକୁ ହାଣ୍ଡିରେ ଭାଜି ଚୁଡା କୁଟନ୍ତି । ପରେ ସମସ୍ତ ସାମଗ୍ରୀ ନେଇ ପୂଜାର୍ଚ୍ଚନା କରନ୍ତି ।
ନୂଆଁଖାଇ ପର୍ବରେ କୁରେଇ ଗଛର ପତ୍ରକୁ ପୂଜା କରାଯାଇଥାଏ । ସେହିଦିନ ମଧ୍ୟ ପରିବାର ଲୋକ କୁରେଇ ପତ୍ରରେ ପ୍ରସାଦ ଓ ଅନ୍ନ ଭୋଜନ କରିଥାଆନ୍ତି । ବର୍ଷକୁ ଗୋଟିଏ ଦିନ ହିଁ କୁରେଇ ଗଛର ପତ୍ରକୁ ବ୍ୟବହାର କରାଯାଇଥାଏ । ପ୍ରଥମେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ପରେ ନୂଆ ଧାନ କେଣ୍ଡା, ନୂଆ ଚୁଡା, ପିଠାପଣା ଆଦି ଦେବାଦେବୀଙ୍କୁ ସମର୍ପଣ କରାଯାଇଥାଏ । ଘଣ୍ଟ, ଶଙ୍ଖ, ହୁଳହୁଳିରେ ଘର ଅଗଣା ଝଙ୍କୁରିତ ହୋଇଥାଏ । ଧୂପ, ଦୀପ, କର୍ପୂର, ଚନ୍ଦନରେ ମଧ୍ୟ ଘର ମହକୁଥାଏ । ପୂଡାପାଠ ସରିବା ପରେ ସମସ୍ତେ ଗୋଟିଏ ସ୍ଥାନରେ ବସନ୍ତି । ପରେ ଏକାଠି ହୋଇ ପୂର୍ବ ଦିଗକୁ ମୁହଁ କରି ସମସ୍ତେ ପ୍ରସାଦ ସେବନ କରନ୍ତି । ଏକାଠି ଖାଇସାରିବା ପରେ ଆରମ୍ଭ ହୁଏ ଭେଟଘାଟ୍ ପର୍ବ । ଭେଟଘାଟ୍ ଶେଷ ହେବା ପରେ ଗାଁରେ ଖେଳକୁଦ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ବାସୀତିହାର :-
‘ନୂଆଁଖାଇ’ର ପରଦିନକୁ ‘ବାସୀତିହାର’ ଯାହାକୁ ଓଡିଆରେ ‘ଛାଡଖାଇପର୍ବ’ ଭାବେ ପାଳନ କରାଯାଏ । ଏହିଦିନ ଘରେ ଆମିଷ ରନ୍ଧା ହୋଇଥାଏ । ବିଶେଷ କରି ଆଦିବାସୀମାନେ ନାଚଗୀତ କରି ଖୁବ୍ ଧୁମଧାମରେ ଉତ୍ସବ ପାଳନ କରିଥାଆନ୍ତି । ସେମାନେ କୁହନ୍ତି ଯେ, ଜିଇଁ ଜାଗିଥିଲେ ପୋରୁର୍ ସାଲେ ଫେର୍ ଘେ ଭେଟ୍ ହେମା । ଆର୍ଥାତ୍ ବଞ୍ଚିଥିଲେ ପୁଣିଥରେ ଭେଟ୍ ଘାଟ ହେବା ।
ସ୍ମରଣିକା ସାହୁ
