ପ୍ରୋପ୍ୟାକ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ଉଦଯାପିତ

“ପ୍ରୋପ୍ୟାକ ଓଡ଼ିଶା-୨୦୨୨”ର ଉଦଯାପନୀ ଉତ୍ସବରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା ରଖିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜମି, ବିଦ୍ୟୁତ ଏବଂ ଜଳ ସମେତ ବିଭିନ୍ନ ଭିତ୍ତିଭୂମିକୁ ସହାୟତା ଯୋଗାଇବା ନିମନ୍ତେ ଇଡ଼କୋକୁ ୪୫୦ କୋଟି ଟଙ୍କାରୁ ଅଧିକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଇଣ୍ଡଷ୍ଟ୍ରିଆଲ ସେକ୍ଟର ପାଇଁ ଅତ୍ୟନ୍ତ କଷ୍ଟକର ଥିଲା, ବିଶେଷ କରି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ । ଏଣୁ ଭାରତ ସରକାର ଓ ରାଜ୍ୟ ସରକାର ଶିଳ୍ପର ପୁନରୁଦ୍ଧାରରେ ସାହାଯ୍ୟ କରିବା ପାଇଁ ସର୍ବୋତ୍ତମ ଚେଷ୍ଟା କରୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ ମୁଖ୍ୟ ଶାସନ ସଚିବ । ଏହା ସହ ରାଜ୍ୟ ସରକାର ଗତ ୩ ବର୍ଷ ହେବ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟନ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ସହ ବର୍ତ୍ତମାନ ସମୟରେ କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ମତ ପୋଷଣ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରତି ଥିବା ଦୃଢ ମନୋଭାବ କାରଣରୁ ଆଜି ଶିଳ୍ପର ଭିତ୍ତିଭୂମି ସୃଷ୍ଟି ହୋଇପାରିଛି ବୋଲି କହିଥିଲେ । ତେବେ ବର୍ତ୍ତମାନ ସମୟରେ ଆମ ପାଖେ ଟେକ୍ନିକାଲ ଟୁଲ୍ ରହିଛି ଏବଂ ନୂଆ ଯୁବପିଢି ହେଉଛନ୍ତି ଭବିଷ୍ୟତ ପିଢିର ଚାଳକ ବୋଲି ସମ୍ବୋଧିତ କରିବା ସହ ଆମକୁ ରିସ୍କ ନେବାକୁ ପଡିବ ଏବଂ ଯୁବପିଢି ଏହି ରିସ୍କ ନେବେ ବୋଲି କହି ଉପସ୍ଥିତ ଯୁବପିଢିଙ୍କୁ ଉତ୍ସାହିତ କରିଥିଲେ ।
ଓଡିଶାରେ ଭିତିଭୂମି ଓ ପ୍ରତିଭା ଭରପୂର ମାତ୍ରାରେ ରହିଥିବା ବେଳେ ଶିଳ୍ପାୟନକୁ ଆଗକୁ ବଢାଇବା ପାଇଁ ଏମ୍ଏସ୍ଏମ୍ଇର ଆବଶ୍ୟକତା ରହିଛି । ଓଡିଶାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏ ଦିଗରେ ପଥପ୍ରଦର୍ଶନକାରୀ ହୋଇପାରିବ । କାରଣ ୫୦% ବ୍ୟବସାୟ ଏମ୍ଏସ୍ଏମ୍ଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରୁ ଆସିବ । ବିଶେଷ କରି ଓଏଏସ୍ଏମ୍ଇରେ ଯେପରି ପ୍ୟାକେଜିଂକୁ ଗୁରୁତ୍ୱ ଦିଆଯାଇଛି ସେହିପରି ଅନ୍ୟାନ୍ୟ କ୍ଷେତ୍ର ଯେପରିକି ଲାଇଟ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ ଆଦି ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଉପସ୍ଥିତ ଅତିଥି ମତପୋଷଣ କରିଥିଲେ ।
ତେବେ କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ଅନ୍ୟ ସହରଗୁଡିକରେ ମଧ୍ୟ ଶିଳ୍ପକୁ ନେଇ ସଚେତନତା ବୃଦ୍ଧି କରାଯିବା ଉଚିତ । ଏବଂ ନିକଟରେ ମୁଖ୍ୟମନ୍ତ୍ରୀ ଫୁଡ୍ ପ୍ରୋର ଶୁଭାରମ୍ଭ କରିଛନ୍ତି, ଯାହାଦ୍ୱାରା ଏସ୍ଏଚ୍ଜିଗୁଡିକ ମାଧ୍ୟମରେ ଫୁଡ୍ ପ୍ୟାକେଜିଂକୁ ଲୋକଲୋଚନକୁ ଅଣାଯାଇପାରିବ । ଏବଂ ଏ ଦିଗରେ ଜନସାଧାରଣ ଆଗକୁ ଆସି ସରକାରଙ୍କୁ ସହଯୋଗ କରିବା ପାଇଁ ଉପସ୍ଥିତ ଅତିଥି ନିବେଦନ କରିଥିଲେ ।
ଏହି ଅବସରରେ ରାଜ୍ୟ ଅର୍ଥ ବିଭାଗର ମୁଖ୍ୟ ସଚିବ କହିଛନ୍ତି ଯେ, “ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବ୍ୟାଙ୍କ ଗୁଡ଼ିକ ଆର୍ଥିକ ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ ରହିଛି । ଶିଳ୍ପ ସଂଗଠନ ସହ ସହଯୋଗ ବଜାୟ ରଖିବାକୁ ଓଡ଼ିଶା ସରକାର ଯୋଜନା ରଖିଛନ୍ତି ବୋଲି କହିଥିଲେ ।