ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ; ବଡ ବନ୍ୟା ଆଶଙ୍କା କରୁଛି ରାଜ୍ୟ

ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପୁଣିଥରେ ସୃଷ୍ଟି ହୋଇ ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ଏହା ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି । ଡ୍ୟାମର ସୁରକ୍ଷାକୁ ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ ହୋଇଛି । ହୀରାକୁଦ ସ୍ପିଲୱେ ଫାଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ୍ୟାମ ସେଫ୍ଟି ଚିଫ୍ ଇଂଜିନିୟର । ଏହି ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ଅନୁଧ୍ୟାନକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ।
୨୦୨୦ ମସିହାରେ ଡ୍ୟାମ୍ ସିକ୍ୟୁରିଟି ରିଭ୍ୟୁ ପ୍ୟାନେଲ (DSRP) ଟିମ୍ ଯାଞ୍ଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ୧୯୯୯ ପରଠାରୁ ଥରେ ହେଲେ ବି ସର୍ଭେ କରାଯାଇନଥିବା ଜଣାପଡ଼ିଛି । ତେଣୁ ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ସର୍ଭେ କରିବାକୁ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବେସିନ୍ ।
ଡ୍ୟାମରେ ଫାଟ କାରଣରୁ ରାଜ୍ୟ ଏବେ ଏକ ବଡ ବନ୍ୟାକୁ ଆଶଙ୍କା କରୁଛି । ହୀରାକୁଦ ଡ୍ୟାମ୍ ଦେଇ ଲକ୍ଷ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଇଛି । ଆଉ ଏହାପରେ ରାଜ୍ୟ ସରକାର ଡ୍ୟାମର ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ପୂର୍ବରୁ ହୀରାକୁଦ ସ୍ପିଲୱେରେ ଫାଟ ଥିବାବେଳେ ନିକଟରେ ଡ୍ୟାମରେ ଆଉ କିଛି କ୍ରାକ୍ ନଜରକୁ ଆସିଛି । ତେଣୁ ହୀରାକୁଦ ଡ୍ୟାମ ସୁରକ୍ଷାକୁ ନେଇ ମହାନଦୀ ଅବବାହିକାର ଦାୟିତ୍ୱରେ ଥିବା ମୁଖ୍ୟ ଇଂଜିନିୟରଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ଡ୍ୟାମ୍ ସେଫ୍ଟି ଚିଫ୍ ଇଂଜିନିୟର ।