ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ପିସିସି ସଭାପତି

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ଏହାର ପ୍ରଭାବ ଭୋଗରାଇ ବ୍ଳକରେ ଦେକିବାକୁ ମିଳିଛି । ତଳିଆ ଅଞ୍ଚଳରେ ଥିବା ୨୧ ଟି ପଞ୍ଚାୟତର ୧୨୧ଟି ଗାଁର ପ୍ରାୟ ୭୦ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏନେଇ ପ୍ରାଶାସନିକ ଅଧିକାରୀ, ମନ୍ତ୍ରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ଲୋକଙ୍କ ସମସ୍ୟା ବୁଝି ବନ୍ୟା ପ୍ରପିଡିତାଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏ ନେଇ କଂଗ୍ରେସର ପସିସି ସଭାପତି ଶରତ ପଟ୍ଟନାୟକ ଭୋଗରାଇ ବ୍ଳକର ଥିବା ମନୁନଗର ଗାଁରେ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

ଏହି ଅବସରରେ ପିସିସି ସଭାପତି ଭୋଗରାଇର ବନ୍ୟା ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଯଥାଶୀଘ୍ର ସୁବର୍ଣ୍ଣରେଖା ସଂସାର ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ଏପରି ନ ହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି । ପିସିସି ସଭାପତିଙ୍କ ଗସ୍ତ ସମୟରେ ତାଙ୍କ ସହିତ ଜିଲ୍ଲା ସଭାପତି, ଭୋଗରାଇ ଯୁବ ନେତା ସତ୍ୟଶିବ ଦାସ, ବ୍ଲକ କଂଗ୍ରେସ ସଭାପତି ଆଶିଷ ପାତ୍ର ଏବଂ ଦଳର ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ ।
ବାଲେଶ୍ବରରୁ ରଞ୍ଜନ କୁମାର ଦେ