ପୁଣିଥରେ ବଢିଲା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଅବଧି

ବଢିଲା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଅବଧି । ୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବୃଦ୍ଧି କରିଛନ୍ତି । ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସକୁ ବୃଦ୍ଧି କରାଯାଇଛି । ସେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।
ଶ୍ରୀ ମହାପାତ୍ରଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ । ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଘଟଣାଚକ୍ରରେ ଜଗନ୍ନାଥଧାମ ପୁରୀ ସହ ତାଙ୍କର ଗଢ଼ି ଉଠିଥିଲା ନିଆରା ସମ୍ପର୍କ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଏହି ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ହଟାଇ ନବକଳେବର ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ । ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଲେଖା ଯାଇଥିବା ଚିଠିରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧିକୁ ଅନୁମୋଦନ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ସଚିବ ଭାବେ ଆଉ ୬ ମାସ ବୃଦ୍ଧି କରିବାକୁ କହିଥିଲେ । ଏହାପୂର୍ବରୁ ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୨୮ରେ ସରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ ।