ଗଣେଶ ପୂଜାରେ ରହିବନି କଟକଣା; ଧୁମଧାମରେ ପାଳିତ ହେବ ବିଘ୍ନ ବିନାଶନଙ୍କ ପୂଜା

ଭୁବନେଶ୍ବର: ଚଳିତ ବର୍ଷ ଧୁମଧାମର ସହ ପାଳିତ ହେବ ଗଣେଶ ପୂଜା । ଆସନ୍ତା ବୁଧବାର ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅର୍ଥାତ୍ ଗଶେଶ ପୂଜା । ବିଭିନ୍ନ ପୂଜା ମଣ୍ଡପରେ ହେବ ବିଘ୍ନ ବିନାଶନଙ୍କ ପୂଜାର୍ଚ୍ଚନା । ଗତ ୨ ବର୍ଷ ହେବ କରୋନା କଟକଣା ଭିତରେ ବିନା ଭକ୍ତରେ ଗଣେଶ ପୂଜା ଆୟୋଜନ ହେଉଥିବା ବେଳେ ଏଥରର ଚିତ୍ର କିନ୍ତୁ ବଦଳିବ । ପୂର୍ବବର୍ଷ ଅପେକ୍ଷା ବର୍ତ୍ତମାନ ପରିସ୍ଥିତି ବଦଳିଥିବାରୁ ଗଣେଶ ପୂଜାରେ କୋଭିଡ କଟକଣା ରହିବ ନାହିଁ ।
ଗଣେଶ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା । ଏଥର ଆଉ ପରଦା ଆଡ଼ୁଆଳରେ ନୁହେଁ, ଭକ୍ତ ସିଧାସଳଖ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ତେବେ କଟକଣା ହଟିଥିଲେ ମଧ୍ୟ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି ।
ଅପରପକ୍ଷେ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରିବା ନେଇ ଅପିଲ୍ କରିଛନ୍ତି ବିଏମସି କମିଶନର । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ ।