କମିଶନରେଟ୍ ପୋଲିସଦ୍ୱାରା ଜଟଣୀ ପ୍ରସିଦ୍ଧ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ବର କମିଶନରେଟ୍ ପୋଲିସ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ଉତ୍ତରାଣୀ କ୍ଲବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜଟଣୀର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକ ଓ ଭସାଣି କମିଟିର ଅଧ୍ୟକ୍ଷ, ନବ ନିର୍ବାଚିତ ପୌର ଅଧ୍ୟକ୍ଷ ଅନନ୍ତ ବେହେରା ଓ ଜଟଣୀ ମୁନିସିପାଲିଟି କାଉନସିଲରଙ୍କ ସହ ପୋଲିସ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଆର୍ ପି ଏଫ, ରେଲୱେ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ବିଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଜଟଣୀର ଗଣେଶ ପୂଜା ଫିକା ପଡିଥିଲା l ତେବେ ଚଳିତ ବର୍ଷ ଜଟଣୀରେ ଗଣେଶ ପୂଜା ମହାଡମ୍ବର ସହାକାରେ ପାଳିତ ହେବ ଏବଂ ଏ ନେଇ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ଥିବା ବିଭିନ୍ନ ବଜାର କମିଟି ତରଫରୁ ପ୍ରକାଶ କରାଯାଇଛି l
ଆୟୋଜିତ ବୈଠକରେ ଜଟଣୀ ବଜାରରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ମଣ୍ଡପର ସଭାପତିମାନେ ପ୍ରକାଶ କରିଥିଲେ l ଅପରପକ୍ଷେ ସବୁ ସମସ୍ୟା ଗୁଡ଼ିକୁ ପୂଜା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ବୈଠକରେ ମତ ପୋଷଣ କରିଛନ୍ତି l ଚଳିତ ବର୍ଷ ପୂଜାକୁ ଶୁଙ୍ଖଳିତ ଭାବେ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଡିସିପି ପ୍ରତୀକ ସିଂ କହିଛନ୍ତି l ଏଥିପାଇଁ ସେ ସମସ୍ତ ଜନସାଧାରଣ ଓ ପୂଜା ମଣ୍ଡପ ସଭ୍ୟମାନଙ୍କ ସହଯୋଗ କାମନା କରିଛନ୍ତି l ବୈଠକରେ ଏସି.ପି ଜୋନ ୩ ରଜତ କୁମାର ରାୟ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ସମେତ ଜଟଣୀରେ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂ ଏବଂ ଜଟଣୀର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ l
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ