ବେଗୁନିଆପଡାରେ ଜନପ୍ରତିନିଧି କୋମାରେ

ବେଗୁନିଆପଡା: ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବାରେ ସେତୁଭଳି କାମକରିବା ସହ ସାଧାରଣ ଜନତାଙ୍କ ସୁବିଧା ଅସୁବିଧାକୁ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣି ସମାଧାନ ପାଇଁ ପଦକ୍ଷେପ ନେବା ଦାୟିତ୍ୱ ଜନପ୍ରତିନିଧିମାନଙ୍କର । କିନ୍ତୁ ବର୍ତମାନ ସମୟରେ ଏଥିରେ ବିଚ୍ୟୁତି ଦେଖିବାକୁ ମିଳୁଛି । ନିର୍ବାଚନ ସମୟରେ ଜନପ୍ରତିନିଧିମାନଙ୍କର ପ୍ରତିଶ୍ରୁତି ଏବଂ ବିଶ୍ବାସ ପରବର୍ତ୍ତୀ ସମୟରେ ପାଣିରେ ଗାର ସଦୃଶ ହୋଇଯାଉଛି । ଏଭଳି କହିବାର ତାତ୍ପର୍ଯ୍ୟ ହେଉଛି, ବେଗୁନିଆପଡା ବ୍ଲକରେ ଗତ ଖରିଫ ଫସଲ ସମୟରେ ଧାନ ଅମଳ କାଳରେ ପ୍ରବଳ ବର୍ଷା କାରଣରୁ ଫସଲ ନଷ୍ଟ ହୋଇଗଲା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ହେଲେ ତଦନ୍ତକାରୀ ଅଧିକାରୀମାନେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ନ ଯାଇ ରିପୋର୍ଟରେ କ୍ଷତି ହୋଇନଥିବା ଦର୍ଶାଇଲେ । ଅନ୍ୟ ପକ୍ଷରେ ଉକ୍ତ ଧାନ ଖରାପ ଦର୍ଶାଇ ମଣ୍ଡିରେ ମିଲରମାନେ ମଧ୍ୟ ନେଲେ ନାହିଁ । ଏଥିପାଇଁ କୃଷକ ସଂଗଠନ କେତେକ ସ୍ଥାନରେ ଆନ୍ଦୋଳନ ମଧ୍ୟ କଲେ ହେଲେ ଏହାର ସମାଧାନ କିଛି ହୋଇପାରିଲା ନାହିଁ ।
ଏପରିକି ଚଳିତ ବର୍ଷ ସରକାର ଚାଷୀଙ୍କୁ ଧାନ ବିହନ ଯୋଗାଇଲେ ନାହିଁ କି ସାର ମଧ୍ୟ ଯୋଗାଇଲେ ନାହିଁ । ବାଧ୍ୟ ହୋଇ ଚାଷୀ ଚଢ଼ା ଦରରେ କଳାବଜାରରୁ ଖରିଦ କଲେ । ଆଉ ଏଥିପାଇଁ କେହେ ମଧ୍ୟ ପ୍ରତିବାଦ କଲେ ନାହିଁ କି ଆବଶ୍ୟକୀୟ ପଦକ୍ଷେପ ନେଲେ ନାହିଁ । ଏଠି ପ୍ରଶ୍ନ ଜନପ୍ରତିନିଧିଙ୍କ କାମ କଣ ?
ଅପରପକ୍ଷେ କିଛି ଦିନ ହେବ ବେଗୁନିଆପଡା ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ଖାଲି ବିଦ୍ୟୁତ୍ ସେବା ନୁହେଁ ଏହି ଅଂଚଳରେ ସ୍ୱାସ୍ଥ୍ୟ ସେବା କଥା କହିଲେ ନ ସରେ । ଡାକ୍ତର, ଶିକ୍ଷକ, କୃଷି କର୍ମଚାରୀଙ୍କ ଅଭାବ ଅଞ୍ଚଳର ପ୍ରମୁଖ ସମସ୍ୟାରେ ଗଣା । ଏଭଳି ସ୍ଥଳେ ଜନପ୍ରତିନିଧିମାନେ ନିଜ ନିଜ କାମରେ ବ୍ୟସ୍ତ । ଯେଉଁ ଜନତା ତାଙ୍କୁ ନିଜର ମୂଲ୍ୟବାନ୍ ଭୋଟ୍ ଦେଇ ତାଙ୍କର ଅଧିକାର ପାଇଁ ଲଢିବାକୁ ଛାଡିଥିଲେ ସେମାନେ ଆଜି ବିଶ୍ବାସଘାତକର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏଣୁ ମୋ ସରକାର ସମୟରେ ସରକାରୀ କର୍ମଚାରୀ ଯାହା କରିବେ ତାହା ହିଁ ଠିକ୍, କାରଣ ଜନପ୍ରତିନିଧି ଏବେ କୋମାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ