ଜଟଣୀ–ପିପିଲି ଅଣ୍ଡରଗ୍ରାଉଣ୍ଡରେ ପାଣିରେ ବୁଡିଲା ମୋ ବସ୍ । ୮ ନମ୍ବର ରୁଟରେ ମୋ ବସ୍ ଚଳାଚଳକୁ ବନ୍ଦ କଲା କ୍ରୁଟ୍

ଜଟଣୀ–ପିପିଲି ଅଣ୍ଡରଗ୍ରାଉଣ୍ଡ ରାସ୍ତାରେ ପାଣି ଜମି ଆଜି ମୋ ବସ୍ ବୁଡିବା ଘଟଣାରେ କ୍ରୁଟ୍ ନେଇଛି ବଡ ନିଷ୍ପତ୍ତି । ୮ ନମ୍ବର ରୁଟରେ ମୋ ବସ୍ ଚଳାଚଳକୁ କ୍ରୁଟ୍ ପକ୍ଷରୁ ବନ୍ଦ କରାଯାଇଛି । ଜଟଣୀରେ ମୋ ବସ ପାଣିରେ ଫସିବା ଯୋଗୁ ଏଭଳି ନିଷ୍ପତି ନିଆଯାଇଛି । ଜଟଣୀ ରୁଟରେ ମୋଟ ୧୧ଟି ବସ୍ ଚଳାଚଳ କରୁଥିଲା । ତେବେ ଆଡି ମାଷ୍ଟର କ୍ୟାଣ୍ଟିନ ଛକରୁ ଜଟଣୀ ଯାଉଥିଲା ବସ୍ । ହେଲେ ଅଣ୍ଡରଗ୍ରାଉଣ୍ଡରେ ମୋ ବସ୍ ବୁଡିଯିବା ଫଳରେ ବସ୍ରେ ଥିବା ଯାତ୍ରୀମାନେ ପହଁରି ପହଁରି ଉଚ୍ଚାସ୍ଥାନକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଆଜି ଭୁବନେଶ୍ୱରରେ ଦିନ ତମାମ ବର୍ଷା ଜାରି ରହିଥିଲା । ଫଳରେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିଲା । ଏହାସତ୍ତ୍ବେ ବସ୍ ଚଳାଚଳ ଜାରି ରହିଥିଲା । ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଜାରି ରହିଥିଲା । ଖୋର୍ଦ୍ଧାରୁ ଜଟଣୀ ଓ ସୁନ୍ଦରପଦା ଦେଇ ଯାଉଥିବା ବେଳେ ଜଟଣୀ ରେଳ ଓଭର ବ୍ରିଜ୍ ତଳେ ବର୍ଷା ପାଣିରେ ଫସି ରହିଥିଲା ମୋ ବସ୍ । ଯେଉଁଥିରେ ୨୫ରୁ ୩୦ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜଟଣୀରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ