ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟ କାର୍ଯ୍ୟକ୍ରମରେ ବି ସାମିଲ ହେବେ । ଶାହାଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତି ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ପରେ କଟକରେ ଅମୃତ ମହୋତ୍ସବ ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ହରେକୃଷ୍ଣ ମହତାବଙ୍କ ଦ୍ବାରା ସ୍ଥାପିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିଦିନ ଅପରାହ୍ନରେ ମେ’ ଫେୟାର ହୋଟେଲରେ ମୋଦୀ@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ । ପରେ ସନ୍ଧ୍ୟା ୬ଟା ୧୫ରେ ଭୁବନେଶ୍ୱର ଛାଡ଼ିବେ କେନ୍ଦ୍ର ଗୃହମନ୍ତ୍ରୀ ।