ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଭୋଟ ଦେଉଛନ୍ତି ଇଲେକ୍ଟୋରାଲ କଲେଜ ସଦସ୍ୟ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ଏ ନେଇ ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଭୋଟିଂ । ଏହାପରେ ଗଣତି କରାଯିବ ଓ ଆଜି ହିଁ ଫଳାଫଳ ଘୋଷିତ ହେବ ।


ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ । ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଉଛନ୍ତି । ଏଥି ମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ରହିଛନ୍ତି । ସେହିପରି ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଭବନରେ ପହଞ୍ଚି ନିଜର ଭୋଟ ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ସାଂସଦଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଜଣକ ପରେ ଜଣେ ସାଂସଦ ଭୋଟ ଦେଉଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ବିଜେପି ସହ ୨୦ଟି ଦଳ ସମର୍ଥନ କରୁଛନ୍ତି । ଅପରପକ୍ଷେ ଚଳିତ ଉପରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଛି ଟିଏମ୍ସି ।