ହମତା ପାସ ଶିଖରରେ ୧୪ ହଜାର ଫୁଟ ଉଚ୍ଚରେ ଚଢ଼ି ତ୍ରିରଙ୍ଗା ଉଡ଼ାଇ ରାଜ୍ୟ ତଥା ଜିଲ୍ଲା ଗୌରବ ଆଣିଲେ ସଚିନ ବେହେରା

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗାଁର ସଚିନ ବେହେରା ହିମାଚଳ ପ୍ରଦେଶର ହମତା ପାସ ଶିଖରରେ ୧୪ ହଜାର ଫୁଟ ଉଚ୍ଚରେ ଚଢ଼ି ତ୍ରିରଙ୍ଗା ଉଡ଼ାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ତାଙ୍କର ଏହି କୃତିତ୍ୱ ପାଇଁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଓଡ଼ିଶା ସରକାର ରାଜେନ୍ଦ୍ର ଢୋଲକିଆ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମନ୍ତ୍ରୀ ନିଜ ବାସଭବନରେ ସଚିନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ମହୋଦୟ ସଚିନଙ୍କୁ ପ୍ରଶଂସା କରିଛନ୍ତି । ଏହା ସହ ମନ୍ତ୍ରୀ ଆଜିର ଯୁବ ଖେଳାଳୀଙ୍କୁ ସଚିନଙ୍କ ଭଳି ପରିଶ୍ରମ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ନୂଆପଡ଼ା ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।
ବୋଡ଼େନ ବ୍ଲକ ଲର୍କା ଗାଁର ସଚିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଡେୟାର ଡେଭିଲସ ତରଫରୁ ଆୟୋଜିତ ହିମାଳୟ ପର୍ବତାରୋହଣରେ ଅଂଶ ଗ୍ରହଣ କରିଥିଲେ । ସେ ଜୁନ ମାସ ୧୦ ତାରିଖ ୩.୨୦ ମଧ୍ୟାହ୍ନରେ ପ୍ରବଳ ଶୀତ (-୫ ରୁ -୧୦ ଡିଗ୍ରୀ ତାପମାତ୍ରା) ଓ ତୁଷାରପାତରେ ହିମାଚଳ ପ୍ରଦେଶର ହମତା ପାସ ଶିଖରରେ ପହଂଚିଥିଲେ l
ଲର୍କା ଗାଁର ଶିକ୍ଷକ ଲକ୍ଷ୍ମୀପ୍ରସାଦ ବେହେରା ଓ ମା ଆରତୀ ବେହେରାଙ୍କ ପୁଅ ସଚିନ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜରେ ଫିଜିଓଥେରାପିରେ ଇଣ୍ଟର୍ନସିପ୍ କରୁଛନ୍ତି । ସେ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ପାକିସ୍ତାନର ରେକର୍ଡ ଭାଙ୍ଗି ଗିନିଜ ବୁକ୍ ଅଫ୍ ୱାଲ୍ଡରେ ରେକର୍ଡ ହାସଲ କରିଛନ୍ତି । ଏହା ସହ ସେ ୧୦୦ ମିଟର ସଫଳ ଧାବକ ଭାବେ ବେଶ୍ ଜଣାଶୁଣା । ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ରାଜ୍ୟରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l
ନୂଆପଡାରୁ କୀର୍ତ୍ତି ଚନ୍ଦ୍ର ନାଗ