୫୦୦ ଟଙ୍କାରୁ ଆରମ୍ଭ କରି ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶାଢୀର ସମ୍ଭାର ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ଏଥ୍ନିକ୍ ୱେଭସ୍, ପାରମ୍ପରିକ ସିଲ୍କ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଓଡିଶା କଳା ଓ ହସ୍ତଶିଳ୍ପ ସମିତିର କାରିଗରଙ୍କୁ ନେଇ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ ଓ ଦିବ୍ୟା ମହାନ୍ତିଙ୍କ ଦ୍ୱାରା ହୋଟେଲ୍ ଦ ନ୍ୟୁ ମାରିୟନରେ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂକ୍ଷ୍ମ ପାରମ୍ପରିକ ସିଲ୍କ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମ-ସାମୟିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ ଆଦିଙ୍କ ଏକ ଗୋଷ୍ଠୀ ଦ୍ୱାରା ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ପ୍ରତିଷ୍ଠା କରାଯାଇଛି ।
ପ୍ରଦର୍ଶନୀରେ ବନାରସି ସିଲ୍କ, ଗଡୱାଲ, ଧରମାଭରମ୍, ଜାମଦାନି, ଜମାୱାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଡ୍ରେସ୍ ମ୍ୟାଟେରିଆଲ, ସିଲ୍କ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ଜୁଏଲାରୀ, ହୋମ୍ ଫର୍ଣ୍ଣିସିଙ୍ଗ୍ ଡିଜାଇନର୍ ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଉନ୍ନତ ସୁଯୋଗ ପ୍ରଦାନ କରିବ । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଏବଂ ବୁଣାକାରମାନଙ୍କ ସହଭାଗିତାରେ ୫୦ ହଜାରରୁ ଅଧିକ ବିବିଧତା ପ୍ରଦର୍ଶିତ ହୋଇଛି । ପ୍ରଦର୍ଶିତ ହେଉଥିବା କଟନ ଓ ସିଲ୍କ ହସ୍ତତନ୍ତ ଉତ୍ପାଦଗୁଡିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ସ୍ୱତନ୍ତ୍ର ହାତ ତିଆରି ଶାଢୀଗୁଡିକ ପାଇଁ ୧,୫୦,୦୦୦ ଟଙ୍କା ମଧ୍ୟରେ ରହିଛି । ପ୍ରଦର୍ଶନୀରେ କରୋନା ସମ୍ବନ୍ଧିତ ନିର୍ଦେଶାବଳୀ ପାଳନ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।