୧୧ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତରବାବୁ

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତରବାବୁ । ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ଉମାକାନ୍ତ ଖେଜୁରିଆ, ଏଜେଂଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲେ ଭିଜିଲାନ୍ସ ଅଧିକାରୀ । ଡେଥ କ୍ଲେମ ସାର୍ଟିଫିକେଟ ବା ମୃତ୍ୟୁ ପ୍ରମାଣପତ୍ର ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିଦେବା ପାଇଁ ସେ ଆଜି ଲାଞ୍ଚ ନେଇଥିଲେ । କଟକ ଓ ଢେଙ୍କାନାଳର ଭିଜିଲାନ୍ସ ଟିମ୍ ମିଳିତ ଭାବେ କରିଥିଲେ ଏହି ଚଢାଉ ।

ସୂଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗାଁର ନନ୍ଦିନୀ ନାୟକ LIC ବୀମା ପଲିସି କରିଥିଲେ । ଡାକ୍ତରଙ୍କ ଦେଖାରଖା ଭିତରେ ତାଙ୍କର ଚିକିତ୍ସା ହେଉଥିଲା । ନନ୍ଦିନୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷର ଝିଅ ବୀମା ଟଙ୍କା ପାଇଁ ଡେଥ୍ କ୍ଲେମ କରିଥିଲେ । ଏଥିପାଇଁ ଏହି ଡାକ୍ତର କ୍ଲେମ୍ କେସ୍ ଫର୍ମରେ ଏକ କାଉଣ୍ଟର ଦସ୍ତଖତ କରିବା ଆବଶ୍ୟକ ପଡ଼ିଥିଲା । ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁ ଏ ନେଇ ଉକ୍ତ ଡାକ୍ତରଙ୍କ ସହଯୋଗ ଲୋଡ଼ିଥିଲେ । ହେଲେ ଏହି ଦସ୍ତଖତ ପାଇଁ ଡାକ୍ତର ୧୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏ ସମ୍ପର୍କରେ ବୈକୁଣ୍ଠ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିବାକୁ ଯୋଜନା ହୋଇଥିଲା । ଆଜି ଏହି ଡାକ୍ତର ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ହେପାଜତକୁ ନେଇ ପଚରାଉଚରା କରିଯାଇଛି । ଏ ନେଇ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା କରାଯାଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦିଆଯାଇଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା