ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟା ଜଳ

ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୭ନଂ ଗେଟ୍ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯାଇଛି । ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା । ସେହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୧ ଫୁଟ୍ ରହିଥିଲା । ହୀରାକୁଦ ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରେ ୬୧୩.୧୫ ଫୁଟ ଜଳ ଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ । ଡ୍ୟାମରେ ସେକେଣ୍ଡକୁ ପାଖାପାଖି ୧ ଲକ୍ଷ ୨୦ ହଜାର ୧୫୫ ଘନଫୁଟ ଜଳ ପ୍ରବେଶ କରୁଛି । ୪୫ ହଜାର ୯୦୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।
ଗେଟ୍ ଖୋଲାଯିବା ପୂର୍ବରୁ ମହାନଦୀ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଇଡଲାଇନ୍ ଅନୁଯାୟୀ, ଡ୍ୟାମ କର୍ତ୍ତୃପକ୍ଷ ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନକୁ ୬୦୫ ଫୁଟରେ ରଖିବେ । ବନ୍ୟା ନିୟନ୍ତ୍ରଣ ପାଇଁ ୨୫ ଫୁଟର ବ୍ୟବଧାନ ରଖାଯିବ । ତେଣୁ ଏବେ ଜଳପତ୍ତନ ୬୧୩ ଫୁଟ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ୬୦୫ ଫୁଟ୍କୁ ହ୍ରାସ କରିବା ଡ୍ୟାମ କର୍ତ୍ତୃପକ୍ଷଙ୍କ ପ୍ରଥମ ପ୍ରାଥମିକତା ହେବ ବୋଲି ଜଣାପଡିଛି । ଅପରପକ୍ଷେ ମହାନଦୀର ତଳ ଅଞ୍ଚଳରେ ବିଶେଷ ପାଣି ନ ଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।