ଜଟଣୀ ପୋଲିସର ସଫଳତା, ଛିନତାଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

ଗତ ଜୁଲାଇ ୨ ତାରିଖରେ ହୋଇଥିବା ଲୁଟ୍ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ଦୁଇ ଅଭୁଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ରାକେଶ କୁମାର ପରିଡା (ରାକୁ) ଏବଂ କାହ୍ନୁ ଚରଣ ନାୟକ (ରଘୁ) । ଅଭିଯୁକ୍ତ କାହ୍ନୁ ଚରଣ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଜଟଣୀ ଥାନାରେ ୨ଟି ମାମଲା ରହିଛି ।
ସୂଚନା ଅନୁସାରେ ଘଟଣା ଦିନ ସକାଳେ ଅଭିଯୋଗକାରିଣୀ କମ୍ପ୍ୟୁଟର କ୍ଳାସ କରିବା ନିମନ୍ତେ ବ୍ଲକ ଛକ ନିକଟକୁ ଯାଉଥିଲେ । ଏହି ସମୟରେ ନିମ୍ନୋକ୍ତ ୨ଜଣ ଅଭିଯୁକ୍ତ ଏକ ବାଇକରେ ତାଙ୍କ ପିଛା କରି ଡମୁଣେଇ ମନ୍ଦିର ନିକଟରେ ତାଙ୍କଠାରୁ ଭ୍ୟାନିଟି ବ୍ୟାଗକୁ ବଳ ପୂର୍ବକ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଅଭିଯୋଗକାରିଣୀ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ପକ୍ଷରୁ ଏ ନେଇ ଛାନଭିନ୍ ଆରମ୍ଭ ହୋଇଥିଲା । ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ ଅଭିଯୁକ୍ତଙ୍କ ବିଷୟରେ ସନ୍ଧାନ ପାଇଥିଲେ ।
ଅପରପକ୍ଷେ ବିଶେଷ ସୂତ୍ରକୁ ଖବର ପାଇ ଜଟଣୀ ଥାନା ପୋଲିସ ଟିମ୍ ମାଲଗୋଦାମ ଛକ ନିକଟରେ ଚଢାଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଜେରାବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ତଦନ୍ତ ସମୟରେ ପୋଲିସ ସେମାନଙ୍କ ନିକଟରୁ ମୋଟ ୫ଟି ଚୋରା ମୋବାଇଲ ଫୋନ ଏବଂ ଛିନତାଇରେ ବ୍ୟବହୃତ ଗୋଟିଏ ବାଜାଜ-୧୮୦ ପଲସର ବାଇକକୁ ଜବତ କରିଛି ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ