ହିନ୍ଦୋଳ ଏନ୍ଏସିରୁ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନ୍ଏସିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନ୍ଥପୁର ଅଞ୍ଚଳର ଶିଶିର ତ୍ରିପାଠୀଙ୍କ ପୁତ୍ର ସତ୍ୟବ୍ରତ ତ୍ରିପାଠୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଖବରରୁ ପ୍ରକାଶ ଯେ, ଆଜି ସକାଳ ୧୧ଘଣ୍ଟା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ଏସିର ୱାର୍ଡ଼ ନଂ-୨ ସାଇମନ୍ଦିର ନିକଟରେ ଥିବା ଏକ ଆମ୍ବ ତୋଟାରେ ଜନୈକ ଯୁବକର ମୃତ୍ୟୁଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ଲୋକ ହିନ୍ଦୋଳ ଥାନାରେ ଖବର ଦେଇଥିଲେ ।
ମୃତକଙ୍କ ବେକରେ ଏକ ପ୍ଲାଷ୍ଟିକ ଦଉଡି ବନ୍ଧା ହୋଇଥିବା ବେଳେ ତଳେ ଏକ ହିରୋହଣ୍ଡା ବାଇକ ନଂ-OR-19N 9076ରେ ତାଙ୍କ ଗୋଡ ରହିଥିବା ଦେଖିବାକୁ ମିଳିଥିଲା । ଏଥିସହିତ ବାମ ହାତ ପାପୁଲି ନିକଟରେ ରକ୍ତ ଝରୁଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଜଣକ ଜିନ୍ସ ପ୍ୟାଣ୍ଟ, ଫୁଲ ଶାର୍ଟ ପିନ୍ଧିଥିବା ବେଳେ ବେକରେ ଏକ ଗାମୁଛା ଥିଲା । ଖବର ପାଇ ହିନ୍ଦୋଳ ଥାନା ଅଧିକାରୀ ଚାରୁଲତା ବେହେରା ସଦଳେବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏ ନେଇ ହିନ୍ଦୋଳ ପୋଲିସ ତଦନ୍ତ ଆରମ୍ଭ କରି କେଶ ନଂ-୧୧୯/୨୨ରେ ମାମଲା ରୁଜ୍ଜୁ କରି ଶବକୁ ଜବତ କରିବା ସହ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଶବବ୍ୟବଛେଦ ହୋଇଛି । ଅପରପକ୍ଷେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକ, ହିନ୍ଦୋଳରୁ ସୁଜିତ କୁମାର ବେହେରା