ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫%

ଆଜି ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଥିବା ଜଣାପଡିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ମୁଖ୍ୟତଃ ତିନୋଟି ପଦ୍ଧତିରେ କରାଯାଇଛି । ପ୍ରଥମ ପଦ୍ଧତିରେ ଫର୍ମେଟିଭ ଆସେସମେଣ୍ଟ ଓ ସମେଟିଭ ୧ ପରୀକ୍ଷାର ମାର୍କକୁ ଗ୍ରହଣ କରାଯାଇ ତାହାକୁ ଦ୍ଵିଗୁଣିତ କରାଯାଇ ପରୀକ୍ଷା ଫଳ ପ୍ରସ୍ତୁତ ହୋଇଛି । ଦ୍ବିତୀୟ ପଦ୍ଧତିରେ ସମେଟିଭ ୨ ପରୀକ୍ଷାର ମାର୍କକୁ ଦୁଇଗୁଣିତ କରାଯାଇ ପରୀକ୍ଷାର ଫଳକୁ ପ୍ରସ୍ତୁତ କରାଯାଇଛି । ତୃତୀୟ ପଦ୍ଧତିରେ ସମସ୍ତ ଫର୍ମେଟିଭ ଆସେସମେଣ୍ଟ ପରୀକ୍ଷା ଫଳର ୨୦ ପ୍ରତିଶତ ମାର୍କ ଓ ସମେଟିଭ ଆସେସମେଣ୍ଟ ୧ ର ୩୦ ପ୍ରତିଶତ ମାର୍କ ଓ ସମେଟିଭ ଆସେସମେଣ୍ଟ ୨ର ୫୦ ପ୍ରତିଶତ ମାର୍କକୁ ଗ୍ରହଣ କରାଯାଇ ଫଳ ପ୍ରସ୍ତୁତ କରାଯାଇଛି ।
ପରୀକ୍ଷାର୍ଥୀମାନେ WWW.BSEODISHA.AC.IN ଓ ORISSARESULTS.NIC.IN ୱେବସାଇଟ୍ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ପରିକ୍ଷାର୍ଥୀମାନେ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କଲେ ନିଜ ରେଜଲ୍ଟ ପାଇପାରିବେ ।
ଚଳିତବର୍ଷ ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।