ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିର୍ଦ୍ଧାରିତ ସମୟ ସୁଦ୍ଧା ରେଜଲ୍ଟ ବାହାରିବା ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ ରାଜ୍ୟରେ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମେ ୧୨ତାରିଖରେ ସମସ୍ତ ପରୀକ୍ଷା ଶେଷ ହୋଇଥିଲା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ହୋଇଥିବା ବେଳେ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇ ଜୁନ୍ ୨ ତାରିଖରେ ଶେଷ ହୋଇଥିଲା । ମାଟ୍ରିକରେ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହୋଇଥିବା ବେଳେ ୫୦ ମାର୍କ ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ୍ ପରୀକ୍ଷା କରାଯାଇଥିଲା । ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।