ସଙ୍କଟାପନ୍ନ ଅବସ୍ଥାରେ ଗୁଣନିଧି । କିଶନନଗର ଥାନା ଆଇଆଇସିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

କିଶନନଗର ଥାନା ଆଇଆଇସିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଅଞ୍ଚଳ ବାସୀ ଓ ସାମାଜିକ ସଂଗଠନ । ଏ ନେଇ ଉତ୍କଳବିକାଶ ପରିଷଦ କଟକ ସଦର ପକ୍ଷରୁ ସଭାପତି ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ କିଶନନଗର ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଥାନା ଅଧିକାରିଣୀ ସସ୍ମିତା ରଣାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଛନ୍ତି ସ୍ଥାନୀୟବାସୀ ।
ଜମିବାଡ଼ି ବିବାଦ ନେଇ ଥାନାକୁ ଦୌଡ଼ି ନିରାଶ ହେବା ପରେ ଗତକାଲି କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଗୁଣନିଧି ବିଶୋୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ପୋଲିସଠୁ ନ୍ୟାୟ ନ ପାଇ ଗୁଣନିଧି ଏପରି ଚରମ ପଦକ୍ଷେପ ଉଠାଇଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ବି.ଯୁଗଳକିଶୋର । ଏହା ସହ ପୋଲିସର କାର୍ଯ୍ୟ ଦକ୍ଷତାରେ ଯାହା ଅଭାବ ପରିଲକ୍ଷିତ ହୋଇଛି ସେ ଦିଗରେ ତଦନ୍ତ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ।
ଥାନା ସମ୍ମୁଖରେ ଯଦି କୌଣସି ପୋଲିସକର୍ମୀ ନିୟୋଜିତ ଥାଆନ୍ତେ ତେବେ ଏଭଳି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ଥାନା ସମ୍ମୁଖରେ ଥିବା ସିସିଟିଭି ସମ୍ପର୍କରେ ଥାନା ଅଧିକାରିଣୀଙ୍କୁ ପଚାରିବାରୁ ତାହା ଅକାମୀ ଥିବା ସେ କହିଛନ୍ତି । ତେବେ ଏଭଳି ଅବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ଥାନା ଅଧିକାରିଣୀ ହିଁ ଦାୟି ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି ।
ସାଲେପୁରରୁ ଅଭୟ ଜେନା