କାମ କଲାନି ବିଜୁ କଲ୍ୟାଣ କାର୍ଡ । ବିଶ୍ବାସ ରହିଛି ସରକାର ଗରିବଙ୍କ ବନ୍ଧୁ, ନିଶ୍ଚେ ସାହାଯ୍ୟ କରିବେ !

ଉନ୍ନତ ଚିକିତ୍ସା ପାଇଁ ହାତରେ ଅଛି ବିଜୁ କଲ୍ୟାଣ କାର୍ଡ । ହେଲେ କୌଣସି କାମକୁ ନୁହେଁ ଏହି ସ୍ବାସ୍ଥ୍ୟ କାର୍ଡ । ତଥାପି ରହିଛି ସରକାରଙ୍କ ଉପରେ ଆଶା । ଯେ ସରକାର ନିଶ୍ଚେ ସାହାଯ୍ୟ କରିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତୋଷ ପ୍ରଧାନ । ବୟସ ୫୦ ବର୍ଷ । ହିନ୍ଦୋଳ ଏନଏସିର ୧୦ ନଂ ୱାର୍ଡ ଗୁଣ୍ଡିଚା ମଣ୍ଡପ ସାହିରେ ସପରିବାର ରୁହନ୍ତି ସନ୍ତୋଷ । ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଛୋଟ ଝିଅକୁ ନେଇ ସନ୍ତୋଷଙ୍କ ସଂସାର । ଭଙ୍ଗା ଦଦରା କୁଡିଆରେ ଜଳଖିଆ ଦୋକାନ କରି ସେ ଯାହା ରୋଜଗାର କରନ୍ତି ସେଥିରେ ପରିବାର ପ୍ରତିପୋଷଣ ହୁଏ । ଗତ ମାସରେ ହଠାତ୍ ତାଙ୍କର ପରିଶ୍ରା ଜନିତ ସମସ୍ୟା ଦେଖାଦେବାରୁ ସେ ଅନୁଗୋଳ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ୪ ଦିନ ଧରି ଆଇସିୟୁରେ ରହି ଚିକିତ୍ସା ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତ ଚିକିତ୍ସା ଆଶାରେ କଟକ ବଡ଼ ଡ଼ାକ୍ତରଖାନାକୁ ଯାଇଥିଲେ । ବଡ ଡାକ୍ତରଖାନାରେ ବିଭାଗୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପରୀକ୍ଷା ଗୁଡିକୁ ଘରୋଇ ପରୀକ୍ଷଣ କେନ୍ଦ୍ର ମାନଙ୍କରେ ନିଜସ୍ବ ଖର୍ଚ୍ଚରେ ମଧ୍ୟ କରାଇଲେ । ତେବେ ଆବଶ୍ୟକ ପଡୁଥିବା ଅସ୍ତ୍ରୋପଚାର ପାଇଁ ସେ ଡାକ୍ତରଖାନାରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦେଖାଇବାରୁ, ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଟଙ୍କା ଦରକାର ବୋଲି କହି ନାମକୁ ମାତ୍ର ସ୍ବଳ୍ପ ଔଷଧ ପଞ୍ଜିନାମା ଲେଖିଦେଇ ଘରକୁ ଫେରାଇ ଦେଲେ ।
ବଞ୍ଚିବାର ଆଶା ନେଇ ଏବଂ ସରକାରଙ୍କ ପ୍ରଦତ୍ତ ସ୍ବାସ୍ଥ୍ୟ କାର୍ଡର ଭରସା ନେଇ ସନ୍ତୋଷ କଟକ ଡାକ୍ତରଖାନାରେ ୧୩ ଦିନ ଧରି କର୍ତ୍ତୁପକ୍ଷଙ୍କୁ ବହୁ ଖୋସାମତ କଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣିଲେ ନାହିଁ । ଆଉ ଇତି ମଧ୍ୟରେ ଡାକ୍ତରଖାନାରେ ତାଙ୍କ ପାଖରେ ଥିବା ପଇସା ଚୋରି ହୋଇଯିବାରୁ ବାଧ୍ୟ ହୋଇ ସେ ଘରକୁ ଫେରିଆସିଲେ । ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ, ସରକାରଙ୍କ ପ୍ରଦତ୍ତ ବିଜୁ ସ୍ବାସ୍ଥ୍ୟ କାର୍ଡ ଯଦି ସରକାରୀ ଡାକ୍ତରଖାନାରେ କାମ କରିବନି ତେବେ ଆଉ କେଉଁଠି କରିବ ।
ଅପରପକ୍ଷେ ଏବେ ବି ସନ୍ତୋଷଙ୍କ ବିଶ୍ବାସ ଯେ ସରକାର ନିଶ୍ଚେ ସାହାଯ୍ୟ କରିବେ ଏବଂ ତାଙ୍କର ଅସ୍ତ୍ରୋପଚାର ନିଶ୍ଚେ ହେବ । ଏଣୁ ଅସ୍ତ୍ରୋପଚାର ପାଇଁ ଯଥେଷ୍ଟ ଅର୍ଥ ଆବଶ୍ୟକ ଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ସହଯୋଗ ଭିକ୍ଷା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ସନ୍ତୋଷଙ୍କ ଭରସାକୁ ସରକାର ପୂର୍ଣ୍ଣ କରୁଛନ୍ତି ନା ନାହିଁ ।
ହିନ୍ଦୋଳରୁ ସୁଜିତ କୁମାର ବେହେରା