ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଢୋଲ-ଦୁଲଦୁଲିରେ କମ୍ପିଲା ଭୁବନେଶ୍ବର ବିମାନ ବନ୍ଦର

ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗୁରୁବାର ସକାଳେ ଏମସିଏଲ୍ ଗେଷ୍ଟ ହାଉସ୍ରୁ ଜେଡ ପ୍ଲସ୍ ସୁରକ୍ଷାରେ ଯାଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା । ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ରୌପଦୀଙ୍କ ସୁରକ୍ଷା ନିମନ୍ତେ ଜେଡ ପ୍ଲସ୍ ସିକ୍ୟୁରିଟି ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ବିମାନବନ୍ଦର ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ଓଡ଼ିଶା ଭବନରେ ରହିବେ । ନାମାଙ୍କନ ଦାଖଲ କରାଯିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ । ଓଡ଼ିଶା ଭବନରେ ଦ୍ରୌପଦୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ପହଂଚିଛନ୍ତି । ସେଠାରେ ରହିବା ପାଇଁ କିଭଳି ବ୍ୟବସ୍ଥା ରହିଛି ସେନେଇ ଓଡ଼ିଶା ଭବନ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମାଟିର ଝିଅଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ପାଇଁ ସବୁ ଦଳର ବିଧାୟକଙ୍କୁ ଅପିଲ କରିବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କାରଣ ଜିତିବା ପାଇଁ ଆବଶ୍ୟକ ହେଉଥିବା ଅଙ୍କ ଦ୍ରୌପଦୀ ମୁର୍ମୁ ଖୁବ୍ ସହଜରେ ହାସଲ କରିପାରିବେ ବୋଲି ଆଶା ଉଜ୍ଜିବୀତ ହୋଇଛି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢ଼େଇ ।