ଓଡିଶା

ଅବହେଳିତ ଅବସ୍ଥାରେ ଐତିହ୍ୟ ଧରୋହର ଦମୟନ୍ତୀ ସାଗର ।

ଦଳ ଓ ପଙ୍କରେ ପୋତି ହେବାରେ ଲାଗିଲାଣି ଐତିହାସିକ ଦମୟନ୍ତୀ ସାଗର l ଯେଉଁ ସାଗର ନାମରେ ଦିନେ କୋଟପାଡ ସହର ପରିଚିତ ଥିଲା ଆଜି ତାହା ଅବହେଳିତ ଅବସ୍ଥାରେ । କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳରେ ରହିଛି 700 ଏକରରେ ପରିବେଷ୍ଟିତ ଐତିହାସିକ ଦମୟନ୍ତୀ ସାଗର । ରାଜସ୍ବ ବିଭାଗର ROR ଦସ୍ତାବିଜରେ ଦମୟନ୍ତୀ ନଗର ନାମରେ ନଥିପତ୍ର ରହିଛି l

ଦମୟନ୍ତୀ ସାଗରର ବୈଶିଷ୍ଟ୍ୟ କଥା ଯଦି ଆମେ ଅନୁଧ୍ୟାନ କରିବା ତାହେଲେ ଏହା ଉଡ୍ର ରାଜବଂଶର ନଳରାଜାଙ୍କ ଦ୍ୱାରା 700 ଏକର ପରିଧିରେ ନିର୍ମିତ ଏକ ସାଗର ଥିଲା, ଯେଉଁ ସାଗର ନିର୍ମାଣରେ ରାଜା ନିଜ ଏକମାତ୍ର କନ୍ୟା ସନ୍ତାନଙ୍କ ବଳିଦାନ ଦେଇଥିଲେ ବୋଲି ଲୋକକଥା ରହିଛି । ତେବେ ରାଜାଙ୍କ କନ୍ୟାଙ୍କ ନlମ ଥିଲା ଦମୟନ୍ତୀ, ଏଣୁ ଏହି ସାଗରର ନାମ ରାଜା ଦମୟନ୍ତୀ ସାଗର ରଖିଥିଲେ । ତେବେ ପରବର୍ତ୍ତୀ ସମୟରେ ସହରର ନାମ ଦମୟନ୍ତୀ ନଗରରେ ନାମିତ ହୋଇଥିଲା l

ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ସମଗ୍ର ସହର ଏକ ଦୁର୍ଗ ସଦୃଶ ରହିଥିଲା । ଆଉ ଦୁର୍ଗ ଚତୁଃପାର୍ଶ୍ବରେ ଜଳାଶୟଦ୍ବାରା ଦୁର୍ଗକୁ ଆବଦ୍ଧ ରଖାଯାଉଥିଲା । ଦ୍ୱାରଗଡ଼ ସାହି ଦେବାନମୁଣ୍ଡା ପୋଖରୀ ନିକଟରେ ଏହାର ମୁଖ୍ୟ ଫାଟକ ରହୁଥଲା । ବୈଜ୍ଞାନିକ ପଦ୍ଧତିରେ ଏକ ପୋଲ ନିର୍ମାଣ ହୋଇଥିଲା ଯେଉଁ ପୋଲଟି ଶତ୍ରୁ ଆକ୍ରମଣ ସମୟରେ ଉପରକୁ ଉଠିବାର ବ୍ୟବସ୍ଥା ରହିଥିଲା । ଦଶ ମହାବିଦ୍ୟା ତନ୍ତ୍ରଵିଧିରେ ସହର ଶକ୍ତି ବନ୍ଧନ ହୋଇଥିଲା ଯାହାର ପ୍ରମାଣ ଏବେ ବି ବିଭିନ୍ନ ସହରର ଚାରି ଦିଗରେ ସ୍ଥାନେ ସ୍ଥାନେ ଦେବିଙ୍କ ଛୋଟିଆ ଛୋଟିଆ ପୀଠ ଆକାରରେ ଦେଖିବାକୁ ମିଳେ l

ଶୁଣିବାକୁ ମିଳେ ରାଜାଙ୍କ ଶାସନ କାଳରେ ଯେତେବେଳେ ଭାରତର ଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଚାଲି ଯାଇଥିଲା ସେହି ସମୟରେ ଏହି ଅଂଚଳ ଇଂରେଜମାନଙ୍କ ଦ୍ୱାରା ମାଡ୍ରାଜ ପ୍ରେସିଡେନ୍ସୀ କବଳରେ ରହିଥିଲା । ସେତେବେଳେ ତେଲୁଗୁ ଭାଷାଭାଷୀ ଶାସନ ବ୍ୟବସ୍ଥା ଯୋଗୁଁ ଦମୟନ୍ତୀ ନଗରର ନାମ କୁତପାଡୁ ହୋଇଥିଲା । ପରେ ଏହା କାଳକ୍ରମେ ପରିବର୍ତ୍ତିତ ହୋଇ କୋଟପାଡ଼ର ପରିଚୟ ଲାଭ କରିଥିଲା ଯାହାର ଓଡ଼ିଆ ଅନୁବାଦିକ ଅର୍ଥ ଭଗ୍ନ ଦୁର୍ଗ ବୋଲି କୁହାଯାଏ l

ଦମୟନ୍ତୀ ସାଗରକୁ କୋଟପାଡ଼ର ଗଙ୍ଗା କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହାର ବିଶେଷତ୍ୱ ଅନେକ ରହିଛି । କିନ୍ତୁ ଆଜି ଏହି ଦମୟନ୍ତୀ ସାଗର ପଙ୍କ ଓ ଦଳରେ ପରିପୂର୍ଣ ହୋଇ ଧୀରେ ଧୀରେ ତା ସ୍ଥିତି ହଜାଇବାକୁ ବସିଲାଣି l ଦମୟନ୍ତୀ ସାଗର ଉପରେ ନିର୍ଭର କରି ବହୁ ମତ୍ସ୍ୟଜୀବୀ ପରିବାର ତାଙ୍କ ଜୀବନ ଜୀବିକା ତୁଲାଉଥିଲେ । ସେମାନେ ଆଜି ଉପାୟଶୂନ୍ୟ ହୋଇ ବସିଛନ୍ତି । କୋଟପାଡ଼ ସହର ବିଭିନ୍ନ ପର୍ବ ପର୍ବାଣି, ଯାନୀ ଯାତ୍ରା, ଶୁଭ କର୍ମ ଯଥା ବ୍ରତ, ବିବାହ ଓ ଅନ୍ତେଷ୍ଟିକ୍ରିୟା କିମ୍ବା ଦଶାହ କର୍ମରେ ଏହାର ପବିତ୍ର ଜଳକୁ ବ୍ୟବହାର କରୁଥିଲେ । କିନ୍ତୁ ଆଜି ଦମୟନ୍ତୀ ଅସ୍ୱଚ୍ଛ ଓ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । କାହାରି ଏଥିପ୍ରତି ନିଘା ନାହିଁ ।

ଏ ନେଇ NAC କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଲେ ସେମାନେ MI ବିଭାଗକୁ ଅବଗତ କରାଇବାକୁ କହୁଛନ୍ତି । ଅପରପକ୍ଷେ MI ବିଭାଗକୁ ଜଣାଇଲେ ସେମାନେ ଏହା NAC ର ଦାଇତ୍ୱ ବୋଲି କହୁଛନ୍ତି l ଏବେ ଚାରିଆଡେ ଗୋଟିଏ ପ୍ରଶ୍ନ ଦମୟନ୍ତୀର ସୁରକ୍ଷା ଦାୟିତ୍ବ କାହାର । ଅପରପଟେ ରାଜନେତାଙ୍କ କଥା କହିଲେ ନ ସରେ । ନିର୍ବାଚନୀ ସମୟର ପ୍ରତିଶୃତି ଧୂଆଁବାଣ କୋଟପାଡ଼ ଐତିହକୁ ଧୂଳିସାତ କରିବାକୁ ବସିଛି । ସେପଟେ ଦମୟନ୍ତୀ ନିଜର ସ୍ଥିତି ହରାଇବା ସହ ଏବେ ଜବର ଦଖଲକାରୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବାକୁ ଗଲାଣି । ଏଭଳି ସ୍ଥଳେ ରାଜ୍ୟ ସରକାର ଓଡିଶାର ଐତିହାସିକ ଧରୋହରକୁ ବଞ୍ଚାଇବା ସହ ଏହାର ରକ୍ଷଣ ବେକ୍ଷଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖିବାକୁ ବାକି ରହିଲା ଦମୟନ୍ତୀ ସାଗର ଏବଂ ଦେବାନମୁଣ୍ଡାର ପୁନଃରୁଦ୍ଧାର ପ୍ରଶାସନ କେବେ କରୁଛି ।

କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା