ଅଗ୍ନି ପରୀକ୍ଷା ଦେଉଛି ‘ଅଗ୍ନିପଥ’

ଦିଗହରା ହେଉଛନ୍ତି କି ଅଗ୍ନିବୀର । ‘ଅଗ୍ନିପଥ’କୁ ନେଇ ଦେଶରେ କୁହୁଳିଥିବା ନିଆଁ ଏବେ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ‘ଅଗ୍ନିପଥ’ର ବିରୋଧାଭାଷ କେବଳ ଯେ ଦେଶର ସମ୍ପତ୍ତି ନଷ୍ଟ କରୁଛି ତାହା ନୁହେଁ, ଏହା ଦେଶର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଶକ୍ତ ପ୍ରହାର କରିଛି ।

ସରକାରଙ୍କ ଯୋଜନାକୁ ଆମେ ଆଖିବନ୍ଦ କରି ମାନିବାକୁ ପରାମର୍ଶ ଦେଉ ନାହୁଁ । ହେଲେ ଆମେ ପ୍ରଶ୍ନ କରୁଛୁ ଯେଉଁମାନେ ଏହାକୁ ବିରୋଧ କରିବା ନାଁରେ ହିଂସାକାଣ୍ଡ ରଚୁଛନ୍ତି, ସେମାନେ କ’ଣ ପ୍ରକୃତରେ ସେନାରେ ନିଯୁକ୍ତ ହେବାକୁ ପ୍ରସ୍ତୁତ ? କାରଣ ଯିଏ ଦେଶ ସୁରକ୍ଷାରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କର କୌଣସି ଅଧିକାର ନାହିଁ ଦେଶର ସମ୍ପତ୍ତିକୁ ଅନାଶୟରେ ନଷ୍ଟ କରିବା । ଯିଏ ଘର ଭିତରକୁ ସୁରକ୍ଷା ଦେଇପାରିବନି ସେ କିଭଳି ଆମ ଦେଶର ସୁରକ୍ଷା ଦାୟିତ୍ୱ ନେବ ? ଆମ କହିବା କଥା ହେଲା ଯଦି ଏହି ଯୋଜନାକୁ ବିରୋଧ କରିବାର ଅଛି ତେବେ ଶୃଙ୍ଖଳିତ ଭାବେ ବିରୋଧ କରି ନିଜ ମତ ସରକାରଙ୍କ ନିକଟରେ ପହଂଚାଇ ହେବ । ହେଲେ ଏଭଳି ଉନ୍ମାଦ କାହିଁକି ?

କହିବାର ତାତ୍ପର୍ଯ୍ୟ, ଦେଶରେ ‘ଅଗ୍ନିପଥ’କୁ ନେଇ ଘଟୁଥିବା ହିସାକାଣ୍ଡ କାରଣରୁ ଅନେକ ସ୍ଥାନରେ ଆନେ୍ଦାଳନକାରୀମାନେ ୧୨ରୁ ଉଦ୍ଧ୍ୱର୍ ଟ୍ରେନରେ ନିଆଁ ଲଗାଇଥିବାବେଳେ ବସ୍, ଟ୍ରକରେ ମଧ୍ୟ ନିଆଁ ଲଗାଇ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ହିଂସା ରଚୁଛନ୍ତି । ଏଭଳି ସ୍ଥଳେ ହିଂସାକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ୯୪ଟି ମେଲ୍ ଏକ୍ସପ୍ରେସ୍ ଏବଂ ୧୪୦ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଛି । ଏହାସହ ୬୫ଟି ମେଲ୍ ଏକ୍ସପ୍ରେସ୍ ଓ ୩୦ ପାସେଞ୍ଜର ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । ଏପରିକି ୧୧ଟି ମେଲ୍ ଏକ୍ସପ୍ରେସର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଏପରିକି ବିହାରରେ ସ୍ଥିତି ଅଣାୟତ୍ତ ହେବାରୁ ୧୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଖାଲି ସେତିକି ନୁହେଁ ତେଲେଙ୍ଗାନାର ସିକନ୍ଦରାବାଦରେ ଟ୍ରେନ୍ ଉପରକୁ ବିକ୍ଷୋଭକାରୀମାନେ ପଥର ପିଙ୍ଗିଥିଲେ । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲା । ଅପରପକ୍ଷେ ଆଲିଗଡରେ ବିକ୍ଷୋଭକାରୀ ବିଜେପି ନେତାଙ୍କ ଗାଡି ପୋଡିଥିବାବେଳେ, ବାରଣାସୀ, ଫିରୋଜାବାଦ ଆମେଠିରେ ହିଂସାକାରୀମାନେ ସରକାରୀ ବସ୍ ଭଙ୍ଗାରୁଜା କରିଥିବା ଖବର ସାମ୍ନାକୁ ଆସିଛି । ତେବେ ଟ୍ରେନରେ ନିଆଁ ଯୋଗୁଁ ବିହାର ରେଲୱେର ପ୍ରାୟ ୭୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ ହୋଇଛି ।

ସେନାରେ ନିଯୁକ୍ତ ହେବା ପୂର୍ବରୁ ହିଁ ହିଂସାକାଣ୍ଡ କରି କଳଙ୍କ ରଚିସାରିଛନ୍ତି ‘ଅଗ୍ନିବୀର’ । ତେବେ ଏଭଳି ହିଂସାକାରୀ ଯବାନ ଆମ ଦେଶ ସୁରକ୍ଷାରେ ନିୟୋଜିତ ହେବା ଲାଗି କେତେ ଯୁକ୍ତିଯୁକ୍ତ ତାହା ସାଧାରଣ ଜନତା ହିଁ ନିର୍ଣ୍ଣୟ ନେବେ । ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ପୋଲିସ ୬୦୦ରୁ ଉଦ୍ଧ୍ୱର୍ ହିଂସାକାରୀଙ୍କୁ ଗିରଫ କରିଛି ।

ଏହି ଯୋଜନା ଅଧୀନରେ ସରକାର ଚଳିତ ବର୍ଷ ପ୍ରାୟ ୪୬ ହଜାର ସୈନ୍ୟଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ । ଏ ନେଇ ‘ଅଗ୍ନିବୀର’ଙ୍କ ବୟସ ସୀମା ୧୭ରୁ ୨୧ ରଖାଯାଇଛି । ତେବେ ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ପ୍ରୟାସ କରୁଥିବା ଯୁବକଯୁବତୀ ଏହାକୁ ବିରୋଧ କରିବାରୁ ସରକାରଙ୍କ ପକ୍ଷରୁ ପ୍ରଥମ ବର୍ଷ ପାଇଁ ଏହି ବୟସ ସୀମାକୁ ୨୩କୁ ବୃଦ୍ଧି କରାଯାଇଛି ।
ତେବେ କହିରଖୁଛି ଯେ, ଏହି ଯୋଜନାରେ ନିୟୋଜିତ ଅଗ୍ନିବୀର
ପ୍ରଥମ ବର୍ଷ- ୨୧,୦୦୦ ଟଙ୍କା ହିସାବରେ ବର୍ଷକୁ ୨,୫୨,୦୦୦ ଟଙ୍କା
ଦ୍ୱିତୀୟ ବର୍ଷ- ୨୩,୧୦୦ ଟଙ୍କା ହିସାବରେ ବର୍ଷକୁ ୨,୭୭,୨୦୦ ଟଙ୍କା
ତୃତୀୟ ବର୍ଷ- ୨୫,୫୮୦ ଟଙ୍କା ହିସାବରେ ବର୍ଷକୁ ୩,୦୬,୯୬୦ ଟଙ୍କା ଏବଂ
ଚତୁର୍ଥ ବର୍ଷ- ୨୮,୦୦୦ ଟଙ୍କା ହିସାବରେ ବର୍ଷକୁ ୩,୩୬,୦୦୦ ଟଙ୍କା ମିଳିବ ।
ଏହି ଧାରାରେ ଜଣେ ଯବାନ ଚାରି ବର୍ଷ ମଧ୍ୟରେ ଚାକିରୀ ସମୟରେ ମୋଟ ୧୧ ଲକ୍ଷ ୭୨ ହଜାର ୧୬୦ ଟଙ୍କା ରୋଜଗାର କରୁଛି । ଏହା ସହିତ ଅବସରକାଳୀନ ପ୍ରାପ୍ତ ହିସାବରେ ମୋଟ ୧୧ ଲକ୍ଷ ୭୧ ହଜାର ଟଙ୍କା ମଧ୍ୟ ମିଳିବ । ତେବେ ଜଣେ ଯବାନ ମାତ୍ର ୪ ବର୍ଷ ମଧ୍ୟରେ ସର୍ବମୋଟ ୨୩ ଲକ୍ଷ ୪୩ ହଜାର ୧୬୦ ଟଙ୍କା ରୋଜଗାର କରିପାରୁଛନ୍ତି । ଅପରପକ୍ଷେ ଦେଶସେବା ସମୟରେ ଅଗ୍ନିବୀରଙ୍କ ବଳିଦାନ ବଦଳରେ ତାଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି ।

ତେବେ ୪ ବର୍ଷର ସେବା ପରେ ୨୫% ଅଗ୍ନିବୀରଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିବା ସହ ବାକି ୭୫% ଅଗ୍ନିବୀର ବାଧ୍ୟତାମୂଳକ ଭାବେ ସେନାରୁ ଅବସର ନେବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପକ୍ଷେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ରହିବ । ଏତଦ୍ ବ୍ୟତୀତ ଅଗ୍ନିବୀରଙ୍କୁ ମଧ୍ୟ ରାଜ୍ୟ ପୋଲିସରେ ନିଯୁକ୍ତି ପାଇଁ ପ୍ରାଥମିକତା ପ୍ରଦାନ କରାଯିବ ।
ସେନାରେ ନିଯୁକ୍ତି ପାଇବା ପାଇଁ ପ୍ରୟାସ କରୁଥିବା ଯୁବପୀଢିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କହିଲେ ଅତୁ୍ୟକ୍ତି ହେବ ନାହିଁ । ତେବେ ଆମେ ଦେଶବାସୀ ଆମ ଦେଶର ସୁରକ୍ଷାରେ ନିୟୋଜିତ ଯବାନ ଏବଂ ତାଙ୍କ ପରିବାରକୁ ବେଶ୍ ସମ୍ମାନ ପ୍ରଦାନ କରିଥାଉ । ତଥ୍ୟ ମୁତାବକ ଦେଶର ୬୦% ଯବାନ ବିନା ଯୁଦ୍ଧରେ ହିଁ ଅବସର ଗ୍ରହଣ କରନ୍ତି । ଦେଶ ସୁରକ୍ଷାରେ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଥିବାବେଳେ ଏବେ ପ୍ରତିରକ୍ଷା କ୍ଷେତ୍ରରେ ପୁରୁଣା ଷ୍ଟ୍ରାଟ୍ରେଜିକୁ ପରିବର୍ତ୍ତନ କରାଯାଇଛି । ଯାହାକୁ ମାନିବାକୁ ସରକାରଙ୍କଠାରୁ ଆରମ୍ଭ କରି ୩ ସେନାର ମୁଖ୍ୟ ନିବେଦନ କରିଛନ୍ତି ।
ନିକଟରେ ମିଲିଟାରୀ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅରୁଣ ପୁରୀଙ୍କ କହିବା କଥା ହେଲା ସେନାରେ ଅନେକ ସଂଖ୍ୟକ ଯବାନ ୩୦ ବର୍ଷରୁ ଅଧିକ ବୟସରେ ପାଦ ଥାପିଲେଣି । ତେଣୁ ଅଗ୍ନିପଥ ଯୋଜନା ବଳରେ ସେନାରେ ଯୁବଗୋଷ୍ଠୀ ଓ ଅଭିଜ୍ଞଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩ ସେନାରୁ ପ୍ରତିବର୍ଷ ୧୭,୬୦୦ କର୍ମଚାରୀ ସମୟ ପୂର୍ବରୁ ଅବସର ନେଉଛନ୍ତି । କିନ୍ତୁ ସେମାନେ ଅବସର ପରେ କ’ଣ କରିବେ, ସେ କଥା କେବେ କେହି କିଛି ପଚାରି ନାହାନ୍ତି ।
କିଛି ବିରୋଧ ଗୋଷ୍ଠୀଙ୍ଗ ସଙ୍ଗରେ ପଡି ଦେଶର ସମ୍ପତ୍ତି ନଷ୍ଟ କରିବା ଅପେକ୍ଷା, ଦେଶ ସେବାରେ ନିୟୋଜିତ ହୋଇ ଦେଶ ସୁରକ୍ଷା ସହିତ ନିଜର ଭବିଷ୍ୟତ ଗଢିବାରେ ଧ୍ୟାନ ଦେବା ଉଚିତ୍ । ଏହାଦ୍ୱାରା ସମଗ୍ର ଦେଶବାସୀ ଅଗ୍ନିବୀରଙ୍କୁ ସମ୍ମାନ ଜଣାଇବେ ଏବଂ ଏତଦ୍ ଦ୍ୱାରା ଦେଶର ପ୍ରତିରକ୍ଷା ଦିଗରେ ଆଗେଇବ ।
ଜୟ ଯବାନ୍ ମୋ ଭାରତ ମହାନ୍…
ସ୍ମରଣିକା ସାହୁ