ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଆରୁଖ ଶାସକ ଦଳ ପକ୍ଷରୁ ବାଚସ୍ପତି ପାଇଁ ନାମାଙ୍କନ ଦାଖଲ କରିଥିଲେ । ଏଥିପାଇଁ ଆଜି ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଗୃହରେ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ । ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ, ଶ୍ରୀ ଆରୁଖଙ୍କ ଉପରେ ବିବୃତି ରଖିଥିଲେ । ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ବାଚନିକ ଭୋଟ୍ ପରେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।
ଶୁକ୍ରବାର ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିଛି ଦିନ ତଳେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା । ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିଲେ । ପୂର୍ବରୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ନିକଟରେ ସେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଗତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ତାଙ୍କୁ ଆଉ ମନ୍ତ୍ରୀ ପଦ ମିଳି ନଥିଲା । ସେହି ସମୟରେ ଚର୍ଚ୍ଚା ହେଉଥିଲା ଯେ ସେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ହେବେ ।
ଅପରପକ୍ଷେ ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ବିକ୍ରମ କେଶରୀ ଆରୁଖ ଗୃହରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ, ଆଗାମୀ ଦିନରେ ଗୃହରେ ପଦ ମର୍ଯ୍ୟାଦା ରକ୍ଷା କରିବା ପାଇଁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।