ଆଗାମୀ ବାଚସ୍ପତି ହେବେ ବିକ୍ରମ କେଶରୀ ଆରୁଖ !

ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏ ନେଇ ଆଜି ବିଧାନସଭା ସଚିବଙ୍କ ନିକଟରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ଏହି ସମୟରେ ତାଙ୍କ ସହ ପ୍ରଣବ ପ୍ରକାଶ ଦାଶ, ନିରଞ୍ଜନ ପୂଜାରୀ, ସମୀର ଦାସ, ଭୂପିନ୍ଦର ସିଂ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରପକ୍ଷେ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ବିଜେଡି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମ ନିବାସୀ ବିକ୍ରମ ଆରୁଖ ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଦେଇଥିଲେ । ୧୯୮୨ ମସିହାରେ ଭଞ୍ଜନଗର କେଏସ୍ୟୁବି କଲେଜ ଛାତ୍ର ସଂସଦ ସଭାପତି ଓ ଏହା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ଭାବେ ନିର୍ବାଚିତ ହୋଇ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଆଇନ ପାଠପଢ଼ା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ । ୧୯୯୫ରେ ସେ ପ୍ରଥମ ଥର ପାଇଁ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ।

ବିଜୁ ଜନତା ଦଳ ଗଠନ ପରେ ୨୦୦୦ ମସିହାରେ ମଧ୍ୟ ସେ ବିଜେଡିରୁ ଭଞ୍ଜନଗର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେଡି ଟିକଟରେ ଭଞ୍ଜନଗରରୁ ଚତୁର୍ଥ ପାଳି ବିଧାୟକ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ମନ୍ତ୍ରୀପଦ ପାଇଥିଲେ ।
୨୦୦୯ରେ ବିକ୍ରମ ଆରୁଖ ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ । ଏହା ପରଠାରୁ ଶ୍ରୀ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ସମ୍ଭାଳି ଆସିଥିଲେ । କିନ୍ତୁ ଚଳିତଥର ତାଙ୍କୁ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ବାଦ୍ ଦିଆଯାଇଛି ।