ବାରବାଟୀ ଟି-୨୦ ଟିକେଟ୍ ପାଇଁ ଗଣ୍ଡଗୋଳ, ଶେଷରେ ଲାଠିଚାର୍ଜ

ବାରବାଟୀ ଟି-୨୦ ପାଇଁ ଷ୍ଟାଡିୟମ୍ ଟିକେଟ୍ କାଉଣ୍ଟରରେ ଧସ୍ତାଧସ୍ତି । କମିଶନରେଟ ପୋଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା । ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏବେ ପୁଣିଥରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।
କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୨ ହଜାର ୯୩ଟି ଟିକେଟରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ଟିକେଟ୍ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଣ୍ଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ଆସନ୍ତା ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-୨୦ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ସେଥିପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ପୂର୍ବରୁ ଅନ୍ଲାଇନରେ ୫୦୦୦ ଟିକେଟ୍ ବିକ୍ରି ହୋଇଥିବା ବେଳେ ଓଡ଼ିଶା କ୍ରିକେଟ୍ ଆସୋଶେସନ୍ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮୦୦୦ ଟିକେଟ୍ ବିକ୍ରି ହୋଇଥିଲା । ଆଉ ୧୨୦୦୦ ଟିକେଟ୍ ଆଜି କାଉଣ୍ଟରରେ ବିକ୍ରି କରାଯିବାର ଥିଲା । ହେଲେ କାଉଣ୍ଟର ଆଗରେ ଟିକେଟ୍ ନେବା ପାଇଁ ୩୦ରୁ ୩୫ ହଜାର ଲୋକ ଛିଡ଼ା ହୋଇଥିଲେ । ପର୍ଯ୍ୟପ୍ତ ପରିମାଣରେ ଟିକେଟ୍ ନଥିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଆଲୋଚନା ହେଉଛି ।