ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ”

ଚିଲିକାରେ ଆଜିଠାରୁ ଚାଲିବ ବିଳାସପୂର୍ଣ୍ଣ ହାଉସ ବୋଟ “ଗରୁଡ” । ରାଜ୍ୟରେ ପ୍ରଥମଥର ପାଇଁ ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷାକୁ ପ୍ରଧାନ୍ୟ ଦିଆଯାଇ ଏଭଳି ଏକ ବିଳାସପୂର୍ଣ୍ଣ ହାଉସ ବୋଟର ବ୍ୟାବସ୍ଥା ହୋଇଛି । ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।
ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ୨୦ରୁ୨୫ ହଜାର ଟଙ୍କା ଦେବାକୁ ପଡିବ । ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଏହା ଉପଲବ୍ଧ ରହିବ । ଏଥି ପାଇଁ ପର୍ଯ୍ୟଟକଙ୍କୁ www.vikashecoresorts.com ୱେବସାଇଟରୁ ଅନ୍-ଲାଇନ୍ ବୁକିଂ କରିବାକୁ ପଡ଼ିବ । ଅପରପକ୍ଷେ ଅନ୍-ଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।

ଡବଲ ଇଂଜିନ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ ଫୁଟ ଓ ଓସାର ୨୨ ଫୁଟ ରହିଛି । ଏହି ବୋଟରେ ୨ଟି ସୁଟ୍ ରୁମ୍ ଏବଂ ୪ଟି ପ୍ରିମିୟମ୍ ରୁମ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁସାରେ ଏହାର ଡିଜାଇନ କରାଯାଇଛି । ଏକାଥରେ ୬ ଜଣ ଦମ୍ପତିଙ୍କ ପାଇଁ ୨୪ ଘଣ୍ଟା ରହଣି ବ୍ୟବସ୍ଥା ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ମଧ୍ୟ ରହିଛି । ଖାଦ୍ୟ ମେନୁରେ ଓଡିଆ ଖାଦ୍ୟକୁ ପ୍ରାଥମିକତା ଦିଆଯିବା ସହ ସାମୁଦ୍ରିକ ଖାଦ୍ୟ, କଙ୍କଡା, ଚିଲିକା ଚିଙ୍ଗୁଡି ଓ ଚିଲିକାର ଖଇଙ୍ଗା ମାଛ ରହିବ ।

ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରୀ ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ବ୍ୟାକ୍-ଅପ୍ ବୋଟ୍ ମଧ୍ୟ ରଖାଯାଇଛି । ଏଥିରେ ସୁରକ୍ଷା ସେନ୍-ସର୍ ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ୍ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ବି-ଏସ୍-ଭି-ଆଇ ଇଂଜିନ୍ ବୋଟରେ ଲଗାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର ଓ ଲାଉଞ୍ଜ ଅଛି । ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ ।