ପୁଣି ଶ୍ରୀମନ୍ଦିର ଭିତର ବେଢାରେ ସେଲ୍ଫି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ଭକ୍ତ । ସେ ଏହି ଫଟୋକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫଟୋରେ ଦୁଇ ଜଣ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି । ଜଣେ ଧଳା ରଙ୍ଗର କୁର୍ତା ପିନ୍ଧିଥିବା ବେଳେ ଅନ୍ୟ ଜଣେ ନାଲି ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଶ୍ରୀମନ୍ଦିର ପରିସରରେ ସେ ୧୦ରୁ ଅଧିକ ଫଟୋ ଉଠାଇଥିବା ବେଳେ ସେଗୁଡିକୁ ଫେସବୁକରେ ପୋଷ୍ଟ କରିଛନ୍ତି । ତେବେ ଏହି ବ୍ୟକ୍ତି ଜଣଙ୍କ ଘର କେଉଁଠି ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇଥିବା ଫଟୋ ଗୁଡ଼ିକ ପୋଷ୍ଟ ହୋଇଛି ।

ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ବାରଣ ଥିବାବେଳେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଲେ କିପରି, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ଶ୍ରୀମନ୍ଦିର ସୁରକ୍ଷା ନେଇ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଯାଞ୍ଚ ପ୍ରକ୍ରିୟା କିଭଳି ଚାଲିଛି ତାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଉକ୍ତ ବ୍ୟକ୍ତି କେବଳ ମୋବାଇଲ ନେଲେ ତାହା ନୁହେଁ, ଶ୍ରୀମନ୍ଦିର ଭିତର ବେଢ଼ାରେ ଉଠାଇଥିବା ସେଲଫିକୁ ସେ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ତାକୁ ଭାଇରାଲ ମଧ୍ୟ କରିଛନ୍ତି । ଏ ନେଇ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ ବୋଲି ସେ ଜାଣି ମଧ୍ୟ କୌଣସି ଉଦ୍ଦେଶ୍ୟ ରଖି ଏପରି କରିଥିବା ଅନୁମାନ କରାଯାଉଛି ।
ଏଠି ପ୍ରଶ୍ନ ଉଠୁଛି ଯେ, ବ୍ୟକ୍ତି ଜଣକ ଶ୍ରୀମନ୍ଦିର ପରିସରରେ ବଭିନ୍ନ ସ୍ଥାନରେ ୧୦ରୁ ଅଧିକ ଫଟୋ ଉଠାଇଥିଲେ ମଧ୍ୟ କୌଣସି ସୁରକ୍ଷା କର୍ମୀଙ୍କ ନଜରରେ କିପରି ଆସିଲେ ନାହିଁ । ନା ଜାଣିଶୁଣି ସୁରକ୍ଷା କର୍ମୀଙ୍କ ଆଢୁଆଳରେ ଏପରି ହୋଇଛି ? ଅପରପକ୍ଷେ ଏନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ନିଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ, ଘଟଣାର ପୁନରାବୃତ୍ତିକୁ ନେଇ ଏବେ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।