ଜାଣନ୍ତୁ କେମିତି କରିବେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ଏଥିପାଇଁ ଆଜିଠୁ ଆବେଦନ କରି ହେବ ।
କେମିତି କରିବେ ରେଜିଷ୍ଟ୍ରେସନ୍:
- ପ୍ରଥମେ ଆପଣଙ୍କୁ ସିଆମ୍ ୱେବସାଇଟକୁ ଯିବାକୁ ପଡିବ । ଏଥିପାଇଁ କ୍ଲିକ କରନ୍ତୁ WWW.SIAM.IN
- ଏହା ପରେ ବୁକ୍ HSRP ବଟନ୍ରେ କ୍ଲିକ କରିବାକୁ ହେବ
- HSRPରେ ଥିବା ସମସ୍ତ ଡିଟେଲସ୍କୁ ପୂରଣ କରିବା ପରେ ସବମିଟ୍ ଅପସନ୍ରେ କ୍ଲିକ କରନ୍ତୁ
- ପରେ ଆପଣ କେଉଁ ଗାଡିର ରେଜିଷ୍ଟ୍ରେସନ୍ କରାଇବାକୁ ଚାହୁଁଛନ୍ତି ତାର ବ୍ରାଣ୍ଡ ଉପରେ କ୍ଲିକ କରନ୍ତୁ
- ଏହା ପରେ ଏକ ନୂତନ ୱିଣ୍ଡୋ ଖୋଲିବ, ସେଠାରେ ORDER YOUR HSRP NOW ଉପରେ କ୍ଲିକ କରନ୍ତୁ
- ପରେ ଗାଡି ସମ୍ପର୍କିତ କିଛି ତଥ୍ୟ ପୂରଣ କରିବା ପରେ VERIFY AND SUBMIT ଅପସନ୍ ଉପରେ କ୍ଲିକ କରନ୍ତୁ
- ଏହା ପରେ ରେଜିଷ୍ଟ୍ରେସନ୍ ପାଇଁ ଆପୋଏଣ୍ଟମେଣ୍ଟ ଡେଟ୍ ମିଳିଯିବ
- NEXT ଅପସନ୍ କ୍ଲିକ କରିବା ପରେ ମୋବାଇଲ ନମ୍ବର ଦେବାକୁ ହେବ
- ଓଟିପି ଦେବା ପରେ ଆପଣଙ୍କୁ ଏକ ପେମେଣ୍ଟ ଅପସନ୍ ଆସିବ
- ପରେ ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ୟୁପିଆଇ ଜରିଆରେ ସମ୍ପୃକ୍ତ ରାଶି ପୈଠ କରିପାରିବେ
- ଏହା ପରେ ଏକ ରିସିପ୍ଟ ଆସିବ, ଯାହାକୁ ଆପଣ ଚାହିଁଲେ ପ୍ରିଣ୍ଟ କରି ନିଜର ଆପୋଏଣ୍ଟମେଣ୍ଟ ତାରିଖରେ ଆପଣଙ୍କ ଇଚ୍ଛା ମୁତାବକ ରେଜିଷ୍ଟର କରିଥିବା ଡିଲର ନିକଟରେ ପହଞ୍ଚିଯିବେ
ବାଇକ ଚାଳକଙ୍କ ପାଇଁ ୩୨୦ ଟଙ୍କାରୁ ୩୮୦ ଟଙ୍କା , ଅଟୋ ପାଇଁ ୩୫୦ରୁ ୪୫୦ ଟଙ୍କା । ଚାରି ଚକିଆ ଯାନ ପାଇଁ ୫୯୦ରୁ ୭୦୦ ଟଙ୍କା, ଭାରି ଯାନ ପାଇଁ ୬୦୦ରୁ ୮୦୦ ଟଙ୍କା । ଏଥିସହ ନିର୍ଦ୍ଧାରିତ ମୂଲ୍ୟର ୧୮ ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଏହି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ଥିବାବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି ।
ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍ ଲଗାଇବାକୁ ରାଜ୍ୟରେ ବାଧ୍ୟତା ମୂଳକ କରାଯାଇଛି । ୨୦୨୩ ଜାନୁଆରୀ ପହିଲାରୁ ରାସ୍ତାରେ ଆଉ ଗଡ଼ିପାରିବନି ପୁରୁଣା ନମ୍ବର ପ୍ଲେଟ୍ ଲାଗିଥିବା ଯାନବାହନ। କେବଳ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବା HSRP ଲାଗିଥିବା ଗାଡ଼ି ଚାଲିପାରିବ। ଏମିତି ନିର୍ଦ୍ଦେଶ ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି- STA । ୨୦୧୯ ଏପ୍ରିଲ ୧ ପରଠାରୁ ଯେଉଁ ସବୁ ଯାନବାହନ ବିକ୍ରି ହେଉଛି, ସେଗୁଡ଼ିକ ସୋରୁମ୍ରୁ ହିଁ HSRP ନମ୍ବର ପ୍ଲେଟ୍ ଲାଗି ଆସୁଛି। କିନ୍ତୁ ତା ପୂର୍ବରୁ ଥିବା ସବୁ ଯାନବାହନ ପାଇଁ ଏବେ HSRPକୁ ବାଧ୍ୟତାମୂଳକ କରିଛି STA । ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି ।
୨୦୧୯ ପୂର୍ବରୁ କିଣାଯାଇଥିବା ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ୧, ୨ରେ ଶେଷ ହେଉଛି, ସେମାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା HSRP ଲଗାଇବାକୁ ସମୟ ଦିଆଯାଇଛି । ଏହା ସହ ୩, ୪ରେ ଶେଷ ହେଉଥିବା ନମ୍ବର ପାଇଁ ସେପ୍ଟେମ୍ବର ୩୦ ଯାଏଁ ଏବଂ ୫, ୬ରେ ଶେଷ ହେଉଥିବା ନମ୍ବର ଲାଗି ଅକ୍ଟୋବର ୩୧ ଯାଏଁ ସମୟ ଦିଆଯାଇଛି । ଅପରପକ୍ଷେ ୭, ୮ରେ ଶେଷ ହେଉଥିବା ନମ୍ବର ଲାଗି ନଭେମ୍ବର ୩୦ ଯାଏଁ ଏବଂ ୯, ୦ରେ ଶେଷ ହେଉଥିବା ନମ୍ବର ଲାଗି ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି ।
ନିର୍ଦ୍ଧାରିତ ସମୟ ବାଦ୍ ବିନା HSRPରେ ଚାଲୁଥିବା ଗାଡ଼ି ଉପରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ ବୋଲି ସ୍ପଷ୍ଟ କରିଛି STA । ତେବେ ଗାଡ଼ି ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
କ’ଣ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ? କ’ଣ ଏହାର ଫାଇଦା ?
STAର କହିବା କଥା, ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ ଠାରୁ ବହୁତ ଭିନ୍ନ । ଏଥିରେ ଅନେକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି । ସ୍ନାପ୍ ଲକ୍ ବ୍ୟବସ୍ଥାରେ ନମ୍ବର ପ୍ଲେଟ୍ ଖଞ୍ଜାଯାଉଥିବାରୁ ଥରେ ଏହା ଲାଗିବା ପରେ ଖୋଲାଯାଇପାରିବ ନାହିଁ । ସେହିପରି ଏ ନମ୍ବର ପ୍ଲେଟ୍ରେ ଏକ ୟୁନିକ୍ ଲେଜର କୋଡ୍ ରହିଛି, ଯାହାକି ବାହାନ ପୋର୍ଟାଲ ସହ ଇଣ୍ଟିଗ୍ରେଟେଡ୍ ହୋଇଛି । ତେଣୁ ଏହାକୁ ଟ୍ୟାମ୍ପରିଂ କରାଯାଇପାରିବନି । ଏଣୁ ଏଭଳି ଗାଡ଼ି ଚୋରି ହୋଇଗଲେ କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତତ୍କାଳ ଠାବ କରାଯାଇପାରିବ ।