ଗୀତ ଗାଇ ନାଚିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ

କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ । ନବରଙ୍ଗପୁର ଜିଲ୍ଲା ନିସନାହାଣ୍ଡି ପଞ୍ଚାୟତର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ ଯୋଗ ଦେଇ କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ନିଜେ ଗୀତ ଗାଇଥିଲେ । ଏହାସହ ମାଝୀଗୁଡାରେ ଥିବା ଦିନଦୟାଲ ଅନାଥ ଆଶ୍ରମରେ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ରହି ଅନାଥ ପିଲାମାନଙ୍କ ସହ କିଛି ସମୟ ବିତାଇଥିଲେ । ଏହି ଅବସରରେ ସେ ପିଲାଙ୍କ ପାଇଁ କଦଳୀ, ଆମ୍ବ ଏବଂ ମିଠା ନେଇ ଆସିଥିଲେ । ସେଠାରେ ପିଲାଙ୍କ ଗହଣରେ ନାଚଗୀତ କରିଥିଲେ ଆରକ୍ଷୀ ଅଧିକ୍ଷକ । ଆରକ୍ଷୀ ଅଧିକ୍ଷକଙ୍କ ଏତାଦୃଶ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହ ଏ ନେଇ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରୁ ଦିବାକର ପାଇକ