କାଳବୈଶାଖୀ ସମ୍ଭାବନା, ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ଅସହ୍ୟ ଗୁଳୁଗୁଳି । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢିବା ସହ ଗୁଳୁଗୁଳି ହେବ ବୋଲି କହିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ବଢିବ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏବଂ ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡିଶାର କିଛି ଅଂଚଳରେ ଗୁଳୁଗୁଳି ସମ୍ଭାବନା ରହିଛି ।
ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳର ଆକାଶ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଆଂଶିକ ମେଘୁଆ ରହିବ ।